ଚେନ୍ନାଇ: ଦିବଂଗତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ନିକଟସ୍ଥ ସହଯୋଗୀ ଭି.କେ. ଶଶିକଳା ପୁଣିଥରେ ବିବାଦରେ ପଡିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦ୍ୱାରା ରୁଜୁ କରାଯାଇଥିବା ଏକ ଏଫଆଇଆରରେ ଦାବି କରାଯାଇଛି ଯେ, ୨୦୧୬ରେ ବିମୁଦ୍ରାକରଣ ସମୟରେ ୪୫୦ କୋଟି ଟଙ୍କାର ପୁରୁଣା ନୋଟ୍ ଦେଇ ଏକ ଚିନି କାରଖାନା କିଣାଯାଇଥିଲା।
ମାଡ୍ରାସ ହାଇକୋର୍ଟର ନିର୍ଦ୍ଦେଶ ପରେ ଏହି ମାମଲା ପୁଣିଥରେ ଆଗକୁ ଆସିଛି। CBI ପଦ୍ମାଦେବୀ ସୁଗାର୍ସ ଲିମିଟେଡ୍ (PSL) ବିରୋଧରେ ଠକେଇ ମାମଲା ରୁଜୁ କରିଛି। କମ୍ପାନି ଉପରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (IOB) ସହିତ ୧୨୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି।
CBI ଏଫଆଇଆରରେ ଶଶିକଳାଙ୍କ ନାମ ସିଧାସଳଖ ନଥିଲେ ମଧ୍ୟ, ତଦନ୍ତର ଦିଗ୍ବଳୟ ତାଙ୍କୁ ଘେରୁଛି ବୋଲି ଗଣମାଧ୍ୟମରେ କହାଯାଉଛି। ୨୦୧୭ରେ ଆୟକର ବିଭାଗର ତଲାସୀ ଅଭିଯାନରେ ୪୫୦ କୋଟି ଟଙ୍କାର ଏହି ବିଶାଳ ବେଆଇନ ଟ୍ରାଞ୍ଜାକ୍ସନ୍ର ସୂତ୍ରଧାର ଖୋଲାସା ହୋଇଥିଲା।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହେଲା PSLର ଆର୍ଥିକ ପରିଚାଳକ ହିତେଶ ଶିବଗନ୍ ପଟେଲଙ୍କ ଶପଥପତ୍ର, ଯେଉଁଥିରେ ସେ ସ୍ୱୀକାର କରିଥିଲେ ଯେ କାଞ୍ଚିପୁରମରେ ଅବସ୍ଥିତ ଚିନିକଳ ବିକ୍ରୟ ବଦଳରେ ୪୫୦ କୋଟି ଟଙ୍କାର ପୁରୁଣା ନୋଟ୍ ପାଇଥିଲେ। ଏହି ଟ୍ରାଞ୍ଜାକ୍ସନ୍ ଜୟଲଳିତାଙ୍କ ମୃତ୍ୟୁ ପରେ ଘଟିଥିବାକୁ ମଧ୍ୟ ସ୍ୱୀକାର କରାଯାଇଛି।