ଖ୍ରୀଷ୍ଟଚର୍ଚ୍ଚ: ଖ୍ରୀଷ୍ଟଚର୍ଚ୍ଚର ହାଗଲି ଓଭାଲ୍ଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ଣ୍ଣାୟକ ମୁକାବିଲାରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇ ଦ୍ରୁତ ବୋଲର ଗୁର୍ନୁର ବ୍ରାର (Gurnoor Brar)ଙ୍କୁ ଟେଷ୍ଟ ପଦାର୍ପଣ କ୍ୟାପ୍ ପ୍ରଦାନ କରାଯାଇଛି। ପ୍ରସିଦ୍ଧ କୃଷ୍ଣାଙ୍କ ସ୍ଥାନରେ ବ୍ରାର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଥିବା ବେଳେ ମହମ୍ମଦ ସିରାଜ ଏବଂ ରବୀନ୍ଦ୍ର ଜାଡେଜା ପୁଣିଥରେ ଦଳରୁ ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ନିଜର ଅପରିବର୍ତ୍ତିତ ଚୂଡ଼ାନ୍ତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇଛି।
ୱେଲିଂଟନଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର’ ରହିବା ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ବର୍ତ୍ତମାନ ୦-୦ରେ ବରାବର ରହିଛି। ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡର ୩୬୮ ରନ୍ ଜବାବରେ ଭାରତ ୭୨୦/୯ ରନ୍ କରି ପାଳି ଘୋଷଣା କରିଥିଲା। ଭାରତ ପକ୍ଷରୁ କେଏଲ୍ ରାହୁଲ (୧୩୬), ଋଷଭ ପନ୍ତ (୧୨୮), ଶୁଭମନ ଗିଲ୍ (୯୮) ଓ ଦେବଦତ୍ତ ପାଡିକଲ (୮୦) ଦମଦାର ବ୍ୟାଟିଂ କରିଥିଲେ। ଦ୍ୱିତୀୟ ପାଳିରେ ନ୍ୟୁଜିଲାଣ୍ଡ ୨୩୯/୫ ରନ୍ କରି ମ୍ୟାଚ୍ ବଞ୍ଚାଇବାରେ ସଫଳ ହୋଇଥିଲା। ୨୦୦୯ ମସିହା ପରେ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଟେଷ୍ଟ ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ ରହିଥିବା ବେଳେ ଘରୋଇ ପରିବେଶର ଫାଇଦା ଉଠାଇବାକୁ କିୱି ଦଳ ଲକ୍ଷ୍ୟ ରଖିଛି।
ଟସ୍ ଜିତିବା ପରେ ଅଧିନାୟକ ଶୁଭମନ ଗିଲ୍ କହିଛନ୍ତି ଯେ, ପିଚ୍ରେ ସାମାନ୍ୟ ଆର୍ଦ୍ରତା ରହିଥିବାରୁ ପ୍ରଥମ ଏବଂ ଦ୍ୱିତୀୟ ସେସନରେ ବୋଲରମାନେ ଏହାର ଫାଇଦା ଉଠାଇପାରିବେ। ପ୍ରଥମ ଟେଷ୍ଟରେ କ୍ଷେତ୍ରରକ୍ଷଣରେ କିଛି ତ୍ରୁଟି ରହିଥିଲା, ତେଣୁ ଏହି ମ୍ୟାଚ୍ରେ ଉନ୍ନତ ଫିଲ୍ଡିଂ କରି ଫଳାଫଳ ନିଜ ସପକ୍ଷରେ ନେବାକୁ ଦଳ ପ୍ରସ୍ତୁତ ଅଛି। ସେପଟେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥାମ୍ ମଧ୍ୟ ଟସ୍ ଜିତିଥିଲେ ପ୍ରଥମେ ବୋଲିଂ କରିଥାନ୍ତେ ବୋଲି କହିଛନ୍ତି।
ଭାରତ: କେଏଲ୍ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ଦେବଦତ୍ତ ପାଡିକଲ, ଶୁଭମନ ଗିଲ୍ (ଅଧିନାୟକ), ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ (ୱିକେଟକିପର), ଆକାଶ ଦୀପ, ଅଂଶୁଲ କମ୍ବୋଜ, ଯଶପ୍ରୀତ ବୁମରା, ଗୁର୍ନୁର ବ୍ରାର।
ନ୍ୟୁଜିଲାଣ୍ଡ: ଟମ୍ ଲାଥାମ୍ (ଅଧିନାୟକ), ଡେଭନ୍ କନୱେ, ହେନରୀ ନିକୋଲ୍ସ, ରଚିନ୍ ରବୀନ୍ଦ୍ର, ଡାରିଲ୍ ମିଚେଲ୍, ଟମ୍ ବ୍ଲଣ୍ଡେଲ୍ (ୱିକେଟକିପର), ଗ୍ଲେନ୍ ଫିଲିପ୍ସ, ନାଥନ୍ ସ୍ମିଥ୍, କାଇଲ୍ ଜେମିସନ୍, ମ୍ୟାଟ୍ ହେନରୀ, ଜାକବ୍ ଡଫି।




