ନୂଆଦିଲ୍ଲୀ: 2023 ମେ’ ମାସରେ ମୈତେଇ ଏବଂ କୁକି ଜନଜାତି ମଧ୍ୟରେ ହୋଇଥିବା ହିଂସା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଗସ୍ତ କରିବେ। ସେପ୍ଟେମ୍ବର ୧୩ରେ (ଆସନ୍ତାକାଲି) ସେ ମିଜୋରାମରୁ ସିଧାସଳଖ ମଣିପୁରର ଚୁରାଚାନ୍ଦପୁରରେ ପହଞ୍ଚିବେ।
ମୁଖ୍ୟ ସଚିବ ପୁନିତ କୁମାର ଗୋୟଲ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଶାନ୍ତି ଏବଂ ବିକାଶର ପଥକୁ ପ୍ରଶସ୍ତ କରିବ। ଚୁରାଚାନ୍ଦପୁରରେ ସେ ବିସ୍ଥାପିତ ଲୋକଙ୍କ ସହିତ ସାକ୍ଷାତ କରିବେ ଏବଂ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବେ। ପରେ, ଇମ୍ଫାଲରେ ୧,୨୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଉଦବୋଧନ କରିବେ।
ମୋଦୀଙ୍କ ୨-ଦିନିଆ ଉତ୍ତର–ପୂର୍ବ ଗସ୍ତରେ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଓ ବିହାର ସାମିଲ ରହିଛି। ମିଜୋରାମରେ ସେ ୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ସହିତ ବୈରାବି-ସାଇରାଙ୍ଗ ନୂଆ ରେଳ ଲାଇନ ଉଦଘାଟନ କରିବେ, ଯାହା ପ୍ରଥମଥର ପାଇଁ ମିଜୋରାମକୁ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବ।
ତା’ପରେ ସେ ଆସାମରେ ୧୮,୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କରିବେ ଏବଂ ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଳନରେ ଯୋଗଦେବେ। ପରବର୍ତ୍ତୀରେ ପ୍ରଧାନମନ୍ତ୍ରୀ କୋଲକାତା ଓ ବିହାର ଯାଇ ମଧ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ।