ଭୁବନେଶ୍ୱର: ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବିକା ଦେଇ ନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବଶାଳୀ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୋମବାର ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏକାଦଶତମ ନିଯୁକ୍ତି ମେଳାରେ ସେ ୧୬୮୬ ଜଣ ନବନିଯୁକ୍ତଙ୍କୁ ଉଦ୍‌ବୋଧନ କରୁଥିଲେ।

ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୯୮୨ ଜଣ, ଜଳ ସମ୍ପଦରେ ୪୧୩ ଜଣ, କୃଷି ଓ କୃଷକ ସଶକ୍ତିକରଣରେ ୩୪ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାରେ ୧୩୬ ଜଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦରେ ୨୩ ଜଣ, ଅର୍ଥ ବିଭାଗରେ ୬୧ ଜଣ ଓ ଆଇନ୍ ବିଭାଗରେ ୩୭ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବନିଯୁକ୍ତମାନଙ୍କୁ ସଚ୍ଚୋଟତା, ପରିଶ୍ରମ ଓ ଦୁର୍ନୀତିରୁ ଦୂରେଇ ସେବାଭାବରେ କାମ କରିବା ପରାମର୍ଶ ଦେଇ କହିଛନ୍ତି – “ଗରିବ ଜନତାଙ୍କ ଆଶୀର୍ବାଦ ହିଁ ଆପଣଙ୍କର ସବୁଠାରୁ ବଡ଼ ପୁଞ୍ଜି।”

ସେ ସୂଚନା ଦେଇଥିଲେ ଯେ, ୧୫ ମାସରେ ୧୧ଟି ନିଯୁକ୍ତି ମେଳା ଜରିଆରେ ୩୦,୦୩୨ ପଦବୀ ପୂରଣ ହୋଇଛି। ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ସରକାରୀ ପଦବୀ ପୂରଣର ଲକ୍ଷ୍ୟ ରହିଥିବା ବେଳେ, ୨୦୨୬ ଜୁନ୍ ସୁଦ୍ଧା ଆହୁରି ୪୦,୦୦୦ ପଦବୀ ପୂରଣ ହେବ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେ – “ଆମ ସରକାର ପ୍ରତିଶ୍ରୁତି ପୂରଣ କରେ। ୫ ବର୍ଷରେ ୧.୫୦ ଲକ୍ଷ ନିଯୁକ୍ତି ପ୍ରଦାନ ଲକ୍ଷ୍ୟ, ଏବଂ ଏପର୍ଯ୍ୟନ୍ତ ୩୦,୦୦୦ରୁ ଅଧିକ ପଦବୀ ପୂରଣ ହୋଇଛି।”

ଏହି କାର୍ଯ୍ୟକ୍ରମରେ ଅନେକ ବିଭାଗୀୟ ମନ୍ତ୍ରୀ, ଉନ୍ନୟନ କମିଶନର ଓ ଅଧିକାରୀମାନେ ଉପସ୍ଥିତ ଥିଲେ।