ଓ୍ବାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି, ନିଜକୁ ଭାରତ ସହ ବହୁତ ନିକଟତର ବୋଲି ବ୍ୟାଖ୍ୟା କରିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ସହ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଥିଲେ, “ମୁଁ ଭାରତର ବହୁତ ନିକଟତର, ମୁଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବହୁତ ନିକଟତର। ଗତକାଲି ମୁଁ ତାଙ୍କ ସହ କଥା ହୋଇଥିଲି ଏବଂ ଜନ୍ମଦିନର ଶୁଭେଚ୍ଛା ଦେଇଥିଲି। ଆମର ସମ୍ପର୍କ ବହୁତ ଭଲ।”

ଏହି ବକ୍ତବ୍ୟ ପୁଣିଥରେ ଭାରତ-ଆମେରିକା ସମ୍ପର୍କର ସୁଦୃଢ଼ତାକୁ ଆଲୋକିତ କରିଛି। ଶୁଳ୍କ ବିବାଦ ପରେ ଏହା ଚତୁର୍ଥ ଥର ଯେ, ଟ୍ରମ୍ପ ମୋଦୀ ଓ ଭାରତ ସମ୍ପର୍କରେ ଖୋଲାମେଳା ପ୍ରଶଂସା କରିଛନ୍ତି।

ସେଥିପରି, ରୁଷ-ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଟ୍ରମ୍ପ ମତ ଦେଇଛନ୍ତି। ସେ କହିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସହ ତାଙ୍କର ଦୀର୍ଘକାଳୀନ ସମ୍ପର୍କ ଥିବାରୁ ଯୁଦ୍ଧ ବନ୍ଦ କରିବା ସହଜ ହେବ ବୋଲି ସେ ଭାବୁଥିଲେ। କିନ୍ତୁ ପୁଟିନ ତାଙ୍କୁ ନିରାଶ କରିଛନ୍ତି ଓ ଭରସା ଭାଙ୍ଗିଛନ୍ତି। ଏହି ପରିସ୍ଥିତିରେ ଆମେରିକା କଠୋର ଅଭିଗମ ଗ୍ରହଣ କରିପାରେ ବୋଲି ସେ ସ୍ପଷ୍ଟ କରିଛନ୍ତି।