ଭୁବନେଶ୍ବର: ରାଜ୍ୟରେ ସାର ବଣ୍ଟନରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବିଜୁ ଜନତା ଦଳ (ବିଜେଡି) ଅଭିଯୋଗ କରିଛି। ବିଧାନସଭାର ମୌସୁମୀ ଅଧିବେଶନରେ ବିଜେଡି ସାର ସମସ୍ୟା, ନାରୀ ନିର୍ଯାତନା, ଆଇନ-ଶୃଙ୍ଖଳା ପରିସ୍ଥିତି ସହିତ ରଥଯାତ୍ରାରେ ସରକାରଙ୍କ ବିଫଳତାକୁ ଜୋରଦାର ଭାବେ ଉଠାଇବାକୁ ପ୍ରସ୍ତୁତ ହେଉଛି।

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଚାଷୀମାନେ ସାର ପାଇଁ ରାତିରୁ ଧାଡ଼ିରେ ଠିଆ ହେଉଛନ୍ତି। ସମବାୟ ସୂତ୍ରରେ ସାର ମିଳୁନାହିଁ, ବଜାରରେ ତିନି-ଚାରି ଗୁଣ ଚଢ଼ା ଦରରେ ବିକ୍ରି ହେଉଛି। ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ ଠିକ ଭାବେ ହେଉନାହିଁ। ସରକାର କେବଳ ଘୋଷଣା କରୁଛି, କିନ୍ତୁ କାମ କିଛି ହୋଇନାହିଁ।”

ସେ ଆହୁରି କହିଛନ୍ତି, ରାଜ୍ୟରେ ଆଇନ-ଶୃଙ୍ଖଳା ଅସ୍ଥିର ହୋଇପଡିଛି, ମହିଳା ହିଂସା ଭୟଙ୍କର ଭାବରେ ବଢ଼ିଛି, ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ସରକାର ଆକ୍ରମଣ କରୁଛି ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା କମାଇ ଦେଉଛି। ରଥଯାତ୍ରାରେ ବି ସରକାର ବିଫଳ ହୋଇଥିବାକୁ ସେ ଅଭିଯୋଗ କରିଛନ୍ତି ଏବଂ ଏହାକୁ ଓଡ଼ିଆ ଜାତିର ସ୍ୱାଭିମାନରେ ଆଘାତ ବୋଲି ବ୍ୟାଖ୍ୟା କରିଛନ୍ତି।

କଂଗ୍ରେସ ଦ୍ୱାରା ଆଣା ଅନାସ୍ଥା ପ୍ରସ୍ତାବ ବିଷୟରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଆମେ ଗଣମାଧ୍ୟମରୁ ଶୁଣିଲୁ। ବାଚସ୍ପତି କେବେ ଏହା ଗ୍ରହଣ କରିବେ, ସେହି ଅନୁସାରେ ବିଜେଡି ନିଷ୍ପତ୍ତି ନେବ। ବିଜୁ ଜନତା ଦଳ ସ୍ୱାଧୀନ ଓ ବୃହତ୍ତର ବିରୋଧୀ ଦଳ ହେବାରୁ ନିଜେ ତାର ନିଷ୍ପତ୍ତି ନେବ।”