ନୂଆଦିଲ୍ଲୀ: ରୁଷିଆରୁ କ୍ରୁଡ଼ ତେଲ କିଣିବା ପାଇଁ ଭାରତ ଉପରେ ଅଗଷ୍ଟ ୨୭ ରୁ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଥିଲା ଆମେରିକା। କିନ୍ତୁ, ଏବେ ସେହି ଦଣ୍ଡାତ୍ମକ ଶୁଳ୍କକୁ ପ୍ରତ୍ୟାହାର କରିବାକୁ ୱାସିଂଟନ୍ ଚିନ୍ତା କରୁଛି।
ଆମେରିକାର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (CEA) ଭି. ଅନନ୍ତ ନାଗେଶ୍ୱରନ୍ କହିଛନ୍ତି ଯେ, ନଭେମ୍ବର ୩୦ ପରେ ଭାରତୀୟ ପଦାର୍ଥ ଉପରେ ଲାଗୁ ହୋଇଥିବା ୨୫ ପ୍ରତିଶତ ଦଣ୍ଡ ଶୁଳ୍କ ହଟିଯିବାର ସମ୍ଭାବନା ଅଛି। ସେ ଆଶା କରିଛନ୍ତି ଯେ, ଦୁଇ ଦେଶର ବାଣିଜ୍ୟ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିବ।
ଏହି ବିଷୟରେ କୋଲକାତାରେ ଆୟୋଜିତ Merchants’ Chamber of Commerce and Industry କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ସେ କହିଛନ୍ତି, “୨୫ ପ୍ରତିଶତ ପାରସ୍ପରିକ ଶୁଳ୍କ ସହିତ ଅତିରିକ୍ତ ୨୫ ପ୍ରତିଶତ ଦଣ୍ଡାତ୍ମକ ଶୁଳ୍କକୁ ଅପେକ୍ଷା କରାଯାଇନଥିଲା। କିନ୍ତୁ, ସାମ୍ପ୍ରତିକ ଭୂରାଜନୈତିକ ପରିସ୍ଥିତିକୁ ଦେଖି, ମୁଁ ନିଶ୍ଚିତ ଯେ ନଭେମ୍ବର ୩୦ ପରେ କୌଣସି ଅତିରିକ୍ତ ଶୁଳ୍କ ରହିବ ନାହିଁ।”
ସାମ୍ପ୍ରତିକ ସମୟରେ ଭାରତ ଓ ଆମେରିକାର ଶୀର୍ଷସ୍ତରୀୟ ସମ୍ପର୍କରେ ହୋଇଥିବା ସକାରାତ୍ମକ ଆଲୋଚନାକୁ ମଧ୍ୟ ଏହି ପଦକ୍ଷେପର ମୂଳ କାରଣ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି।