ଇସ୍ଲାମାବାଦ: ପାକିସ୍ତାନୀ ବାୟୁସେନା ନିଜ ଦେଶରେ ଏୟାରଷ୍ଟ୍ରାଇକ୍ କରିଥିବାରୁ ୩୦ରୁ ଅଧିକ ସାଧାରଣ ନାଗରିକ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ଥିବା ନିଶ୍ଚିତ ହୋଇଛି।
ଖବର ଅନୁଯାୟୀ, ଶନିବାର ରାତି ୨ଟା ସମୟରେ ଖୈବର ପଖତୁନଖ୍ୱା ପ୍ରଦେଶର ତିରାହ ଉପତ୍ୟକାର ମତ୍ରେ ଦାରା ଗାଁ ଉପରେ JF-17 ଲଢ଼ୁଆ ବିମାନରୁ ୮ଟି LS-6 ବୋମା ପକାଗଲା। ବିସ୍ଫୋରଣରେ ଗାଁର ବିଶାଳ ଅଂଶ ଧ୍ୱଂସ ହୋଇଗଲା, ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ରାତିରେ ହଠାତ୍ ବିସ୍ଫୋରଣର ଶବ୍ଦରେ ସମସ୍ତେ ଭୟଭୀତ ହୋଇଥିଲେ। ଘରଗୁଡ଼ିକ ଭସ୍ମୀଭୂତ ହୋଇଯାଇଥିବାରୁ ଅନେକ ଲୋକ ଏବେବି ଭଗ୍ନାବଶେଷ ତଳେ ଅଟକିଥିବା ଆଶଙ୍କା କରାଯାଉଛି।
ଉଦ୍ଧାରକାର୍ଯ୍ୟକୁ ରାସ୍ତା ଅବରୋଧ ହେତୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସରକାରୀ ସହାୟତା ବିଳମ୍ବିତ ହେବାରୁ ସ୍ଥାନୀୟ ଲୋକମାନେ ନିଜେ ମୃତଦେହ ଉଦ୍ଧାର କରୁଛନ୍ତି ଏବଂ ନିଖୋଜଙ୍କୁ ଖୋଜୁଛନ୍ତି।
ପାକିସ୍ତାନ ସରକାର ଏହି ବିବାଦୀୟ ଆକ୍ରମଣ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି।