ଭୁବନେଶ୍ୱର: ଆଶ୍ୱିନ ମାସରେ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପର୍ବ। ଗୃହରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ମା’ ଦୁର୍ଗାଙ୍କ ଆଗମନର ଅନୁଭୂତି। ନବଦିନାତ୍ମକ ଏହି ପର୍ବରେ ଦେବୀଙ୍କ ନଅଟି ରୂପର ପୂଜା କରାଯାଏ।
ପ୍ରଥମ ଦିନେ ପୂଜା ହୁଅନ୍ତି ମା’ ଶୈଳପୁତ୍ରୀ, ଯିଏ ଗିରିରାଜ ହିମାଳୟଙ୍କର କନ୍ୟା। ସେହି ମା’ ପାର୍ବତୀଙ୍କୁ ହିଁ ଏହି ରୂପରେ ପୂଜା କରାଯାଏ। ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ସତୀଙ୍କ ଆତ୍ମାହୁତି ପରେ, ସେ ହିମାଳୟର କନ୍ୟା ଭାବେ ପୁନର୍ଜନ୍ମ ନେଇଥିଲେ ଏବଂ କଠୋର ତପଶ୍ଚର୍ଯ୍ୟା ପରେ ପୁନର୍ବାର ଶିବଙ୍କୁ ପତି ଭାବରେ ପାଇଥିଲେ।
ଶୈଳପୁତ୍ରୀ ଦ୍ୱିଭୂଜା – ଏକହସ୍ତରେ ତ୍ରିଶୂଳ, ଅନ୍ୟହସ୍ତରେ ପଦ୍ମ, ତାଙ୍କର ବୃଷଭାହନ। ସେ ତ୍ରିଦେବ (ବ୍ରହ୍ମା, ବିଷ୍ଣୁ, ମହେଶ) ଙ୍କର ମୂଳଶକ୍ତି ଭାବେ ପରିଚିତ।
ଧର୍ମଗ୍ରନ୍ଥ ଅନୁଯାୟୀ, ମା’ ଶୈଳପୁତ୍ରୀ ସମସ୍ତ ଭୌତିକ ଓ ଆଧ୍ୟାତ୍ମିକ ସଙ୍କଳ୍ପ ପୂରଣ କରନ୍ତି। ଯୋଗଶାସ୍ତ୍ରରେ ସେ ମୂଳାଧାରଚକ୍ର ସହ ସମ୍ପର୍କିତ, ଯାହାରୁ ସାଧନା ଆରମ୍ଭ କରି ସହସ୍ରାର ଚକ୍ର ପର୍ଯ୍ୟନ୍ତ ସାଧକ ଅଗ୍ରସର ହୁଏ।
ଭାରତରେ ବାରାଣାସୀରେ ମା’ ଶୈଳପୁତ୍ରୀଙ୍କ ପ୍ରସିଦ୍ଧ ମନ୍ଦିର ଅବସ୍ଥିତ।