ଲାହୋର: ପାକିସ୍ତାନର ବଲୁଚିସ୍ତାନରେ ପୁଣିଥରେ ରେଳ ଦୁର୍ଘଟଣା ଘଟିଛି। ମାସ୍ତୁଙ୍ଗର ମରୁଭୂମି ଅଞ୍ଚଳରେ ଜାଫର ଏକ୍ସପ୍ରେସ ଟ୍ରେନରେ ସୋମବାର ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶକ୍ତିରେ ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିଲା, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।

ଦୁର୍ଘଟଣା ପରେ ଅନେକ ମହିଳା ଏବଂ ଶିଶୁ ଗାଡ଼ିଭିତରେ ଫସିଯାଇଥିଲେ। ସ୍ଥାନୀୟ ଲୋକମାନେ ଓ ଉଦ୍ଧାରକାରୀ ଦଳ ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ। ଏହି ଘଟଣା, ସେଇ ଅଞ୍ଚଳରେ ରେଳ ଟ୍ରାକ ସଫା କରୁଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କୁ ଲକ୍ଷ୍ୟ କରି ହୋଇଥିବା ଆଉ ଏକ ବିସ୍ଫୋରଣ ପରେ ଅଳ୍ପ ସମୟ ମଧ୍ୟରେ ଘଟିଥିଲା।

ଘଟଣାସ୍ଥଳର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଭିଡିଓରେ ଜାଫର ଏକ୍ସପ୍ରେସର ଗୋଟିଏ ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ଦେଖାଯାଇଛି।

ଏହା ପ୍ରଥମ ଘଟଣା ନୁହେଁ। ଚଳିତ ବର୍ଷ ମାର୍ଚ୍ଚ ୧୧ରେ ବଲୁଚିସ୍ତାନ ଲିବେରେସନ ଆର୍ମି (BLA) ଯୋଦ୍ଧାମାନେ କ୍ୱେଟାରୁ ପେଶାୱାର ଯାଉଥିବା ଏହି ଟ୍ରେନକୁ ଅପହରଣ କରିଥିଲେ। ସେଥିବେଳେ ୪୦୦ ରୁ ଅଧିକ ଯାତ୍ରୀ, ଯାହା ମଧ୍ୟରୁ ୨୦୦ ପାକିସ୍ତାନୀ ସେନା କର୍ମଚାରୀ ଥିବା ଦାବି ହୋଇଥିଲା, ବନ୍ଦୀ କରାଯାଇଥିଲେ। ପରେ ପାକିସ୍ତାନୀ ସେନା ଉଦ୍ଧାର ଅଭିଯାନ କରି ୩୩ ଜଣ BLA ଯୋଦ୍ଧାକୁ ହତ୍ୟା କରିଥିବା ଦାବି କରିଥିଲେ, କିନ୍ତୁ ସେଥିରେ ୨୩ ଜଣ ସେନା କର୍ମଚାରୀ, ୩ ଜଣ ରେଳ କର୍ମଚାରୀ ଏବଂ ୫ ଜଣ ଯାତ୍ରୀ ମୃତ୍ୟୁ ହୋଇଥିଲା।