ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ “କୁତ୍ରିମ” ବୋଲି ଆଡ଼ଭୋକେଟ ଜେନେରାଲ (AG) ପୀତାମ୍ବର ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ ବିଜୁ ଜନତା ଦଳ (ବିଜେଡି) କଟାକ୍ଷ କରିଛି। ବିଜେଡି ପ୍ରଶ୍ନ କରିଛି— ଯଦି ବିବାଦ କୁତ୍ରିମ ଥିଲା, ତାହେଲେ ବିଜେପି ସରକାର ଆସିବା ପରେ 15 ମାସ ହେଉଥିବା ସତ୍ତ୍ୱେ ଏହାର ସମାଧାନ ହୋଇନାହିଁ କାହିଁକି?

ବିଜେଡି ମୁଖପାତ୍ର ଡା. ଲେନିନ ମହାନ୍ତି କହିଛନ୍ତି, “ଆଡ଼ଭୋକେଟ ଜେନେରାଲଙ୍କ ପଦବି ଏକ ସାମ୍ବିଧାନିକ ପଦ। ସେହି ପଦବୀରେ ଥିବା ବ୍ୟକ୍ତିଙ୍କୁ ରାଜନୈତିକ ବକ୍ତବ୍ୟ କରିବା ଉଚିତ୍‌ ନୁହେଁ। କିନ୍ତୁ ଆଜିର ବକ୍ତବ୍ୟ ପୂର୍ଣ୍ଣରୂପେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପୂର୍ବ ସରକାରଙ୍କୁ ଦୋଷାରୋପ କରିବା ପାଇଁ କରାଯାଇଛି।”

ସେ ଅଧିକ କହିଛନ୍ତି, “ଉଭୟ କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ବିଜେପି ସରକାର (ଟ୍ରିପଲ ଇଞ୍ଜିନ) ରହିଥିବା ସତ୍ତ୍ୱେ ଯଦି ସମାଧାନ ହୋଇନାହିଁ, ତେବେ ସ୍ପଷ୍ଟ ଯେ ମହାନଦୀ ବିବାଦ କୁତ୍ରିମ ନଥିଲା। ଏଜିଙ୍କ ମନ୍ତବ୍ୟ କେବଳ ରାଜନୈତିକ ହଟଚମଟ ପାଇଁ।”

ଉଲ୍ଲେଖନୀୟ, ଆଜି ପୀତାମ୍ବର ଆଚାର୍ଯ୍ୟ କହିଥିଲେ ଯେ, ମହାନଦୀ ବିବାଦକୁ କୃତ୍ରିମ ଭାବେ ସୃଷ୍ଟି କରାଯାଇଥିଲା ଏବଂ ବିଜେପି ସରକାର ଆସିବା ପରେ ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି।