ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଆମେରିକାର ନୀତିକୁ ନିଶାନା କରି କହିଛନ୍ତି ଯେ, ଆମେରିକା ଭାରତ ଏବଂ ଚୀନକୁ ରୁଷରୁ ଶକ୍ତି କିଣିବା ବନ୍ଦ କରାଇବା ପାଇଁ ଚାପ ପକାଇବାକୁ ଚାହୁଁଛି। କିନ୍ତୁ ଏପରି ପଦକ୍ଷେପର ପରିଣାମ ଓଲଟା ପଡିବ।

ପୁଟିନ ଚେତାବନୀ ଦେଇ କହିଛନ୍ତି, “ଆମେରିକା ଯଦି ରୁଷ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଅଧିକ ଶୁଳ୍କ ଲଗାଏ, ତେବେ ବିଶ୍ୱବ୍ୟାପୀ ମୂଲ୍ୟବୃଦ୍ଧି ହେବ। ଫେଡେରାଲ ରିଜର୍ଭକୁ ବାଧ୍ୟ ହୋଇ ସୁଧ ହାର ଉଚ୍ଚ ରଖିବାକୁ ପଡିବ।”

ସମ୍ପ୍ରତି, ଆମେରିକା ଭାରତୀୟ ରପ୍ତାନି ଉପରେ ୨୫% ଅତିରିକ୍ତ ଶୁଳ୍କ ଲଗାଇଛି, ଯାହାର ଫଳରେ ଟାକ୍ସ ୫୦%କୁ ବଢିଛି।

ରୁଷ ରାଷ୍ଟ୍ରପତି ସ୍ପଷ୍ଟ କରିଥିଲେ, “ଭାରତ ଏବଂ ଚୀନ କେବେବି ଅପମାନ ସହିବେ ନାହିଁ। ଯଦି ଭାରତ ରୁଷରୁ ଶକ୍ତି କିଣିବା ବନ୍ଦ କରେ, ଏହାର ପରିଣାମ ଭାରୀ ହେବ। ମାତ୍ର ଭାରତୀୟ ଜନତା କେବେ ଏହାକୁ ହେବାକୁ ଦେବେ ନାହିଁ।”

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପୂର୍ଣ୍ଣ ଭରସା ପ୍ରକାଶ କରି କହିଛନ୍ତି ଯେ, ମୋଦୀ କେବେବି ଏପରି ପଦକ୍ଷେପ ନେବେ ନାହିଁ।

ପୁଟିନ ଆମେରିକାର ଦୋମୁହାଁ ନୀତିକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଥିଲେ, “ଆମେରିକା ନିଜେ ରୁଷରୁ ୟୁରାନିୟମ କିଣୁଛି, କିନ୍ତୁ ଅନ୍ୟ ଦେଶମାନଙ୍କୁ ରୁଷ ଶକ୍ତିରୁ ଦୂରେଇ ରହିବାକୁ କହୁଛି।”