ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲୁଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟସ୍ମାନମାନେ ବିଶିଷ୍ଟ ପ୍ରଦର୍ଶନ କରିଥିଲେ। କେଏଲ ରାହୁଲ ଓ ଧ୍ରୁବ ଜୁରେଲଙ୍କ ଶତକ ସହିତ, ଭାରତ ନିଜର ସ୍ଥିତିକୁ ମଜବୁତ କରିଛି। ସର୍ବଶେଷ ସୂଚନା ଅନୁସାରେ ଭାରତ ୪ଟି ଓ୍ବିକେଟ ହରାଇ ୪୦୭ ରନ ସଂଗ୍ରହ କରିଛି।

ଦ୍ୱିତୀୟ ଦିନରେ ଭାରତ ୧୨୧/୨ ସ୍କୋରରୁ ଆରମ୍ଭ କରିଥିଲା। କେଏଲ ରାହୁଲ ଶତକ ପୂରଣ କରିଥିଲେ ଏବଂ ଅଧିନାୟକ ଶୁଭମନ ଗିଲ ଅର୍ଦ୍ଧଶତକ କରିଥିଲେ। ପରେ ଧ୍ରୁବ ଜୁରେଲ ୧୧୩ ରନରେ ଖେଳୁଥିବାବେଳେ ରବୀନ୍ଦ୍ର ଜାଡେଜା ୮୬ ରନରେ କ୍ରିଜ୍‌ରେ ଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ଦୃଢ ପାର୍ଟନରସିପ ଦଳକୁ ସୁଦୃଢ ସ୍ଥିତିରେ ପହଞ୍ଚାଇଛି।

ଏହା ପୂର୍ବରୁ, ଓ୍ବେଷ୍ଟଇଣ୍ଡିଜ୍ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କିନ୍ତୁ ୧୬୨ ରନରେ ଅଲଆଉଟ ହୋଇଥିଲା। ଜଷ୍ଟିନ ଗ୍ରିଭସ୍ ୩୨, ସାଇ ହୋପ୍ ୨୬, ରୋଷ୍ଟନ ଚେଜ୍ ୨୪ ଓ ବ୍ରାଣ୍ଡନ କିଙ୍ଗ୍ ୧୩ ରନ ଯୋଗାଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି, ଜସପ୍ରିତ ବୁମରା ୩ଟି, କୁଳଦୀପ ଯାଦବ ୨ଟି ଓ ୱାଶିଂଟନ ସୁନ୍ଦର ୧ଟି ଓ୍ବିକେଟ ଦାଖଲ କରିଥିଲେ।

ଭାରତ ବର୍ତ୍ତମାନ ମ୍ୟାଚରେ ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ସହ, ଓ୍ବେଷ୍ଟଇଣ୍ଡିଜ୍‌କୁ ମହାଚାପରେ ପକାଇଛି।