ନୂଆଦିଲ୍ଲୀ: ଏବର୍ଷର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି ଆମେରିକାର ତିନିଜଣ ପ୍ରସିଦ୍ଧ ବୈଜ୍ଞାନିକ—ଜନ୍ କ୍ଲାର୍କ, ମାଇକେଲ୍ ଡେଭୋରେଟ୍ ଓ ଜନ୍ ମାର୍ଟିନିସ୍। ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ମଙ୍ଗଳବାର ଏହା ଘୋଷଣା କରିଛି। ସେମାନଙ୍କୁ ଏହି ସମ୍ମାନ ଦିଆଯାଇଛି କ୍ୱାଣ୍ଟମ୍ ମେକାନିକ୍ସର ଗଭୀର ପରୀକ୍ଷା ଓ ପ୍ରୟୋଗିକ ଉନ୍ନତି ପାଇଁ।
ନୋବେଲ କମିଟି ଜଣାଇଛି, ଏହି ବୈଜ୍ଞାନିକମାନେ ବିଦ୍ୟୁତିକ ସର୍କିଟ୍ରେ କ୍ୱାଣ୍ଟମ୍ ଟନେଲିଂ ଓ କ୍ୱାଣ୍ଟାଇଜଡ୍ ଏନର୍ଜି ଲେଭେଲ୍କୁ ଏକ ମାକ୍ରୋସ୍କୋପିକ୍ ସ୍ତରରେ ଦେଖାଇ ସାଧାରଣ ଭାବେ ଅସମ୍ଭବ ଧାରଣାକୁ ସତ୍ୟ ସାବିତ୍ କରିଛନ୍ତି। ସେମାନଙ୍କର ଏହି ଆବିଷ୍କାର କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କ୍ୱାଣ୍ଟମ୍ କ୍ରିପ୍ଟୋଗ୍ରାଫି ଓ କ୍ୱାଣ୍ଟମ୍ ସେନ୍ସିଂ ଭଳି ନୂତନ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ନେଇଯିବ।
ସାଧାରଣତଃ କ୍ୱାଣ୍ଟମ୍ ମେକାନିକ୍ସର ନିୟମ ମାତ୍ର ଅତି ସୂକ୍ଷ୍ମ କଣିକା (ଇଲେକ୍ଟ୍ରୋନ୍ ଇତ୍ୟାଦି) ଉପରେ ପ୍ରଯୁଜ୍ୟ ହୁଏ, କିନ୍ତୁ ଏହି ତିନି ବୈଜ୍ଞାନିକ ସେଥିପାଇଁ ପ୍ରମାଣ ଦେଇଛନ୍ତି ଯେ ବଡ଼ ସିଷ୍ଟମରେ ମଧ୍ୟ ଏହା ପ୍ରଭାବୀ ହୋଇପାରେ।
ଏହି ପୁରସ୍କାର ସହିତ, ୧୯୦୧ ମସିହାରୁ ଏପର୍ଯ୍ୟନ୍ତ ମୋଟ ୧୧୮ ଜଣ ବୈଜ୍ଞାନିକ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କୃତ ହୋଇଛନ୍ତି। ସେଥିରେ ସବୁଠାରୁ କମ୍ ବୟସ୍କ ବିଜେତା ଥିଲେ ୨୫ ବର୍ଷର ଲରେନ୍ସ ବ୍ରାଗ୍ (୧୯୧୫) ଓ ସବୁଠାରୁ ବୟସ୍କ ଥିଲେ ୯୬ ବର୍ଷର ଆର୍ଥର ଆସ୍କିନ (୨୦୧୮)।
ଭାରତର ପକ୍ଷରୁ ପ୍ରଥମେ ଏହି ସମ୍ମାନ ପାଇଥିଲେ ସାର୍ ସି.ଭି. ରମଣ, ଯିଏ ୧୯୩୦ ମସିହାରେ ଆଲୋକର ରମଣ ପ୍ରଭାବ ଆବିଷ୍କାର ପାଇଁ ନୋବେଲ ସମ୍ମାନ ଅର୍ଜନ କରିଥିଲେ।