ପାଟନା: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ପ୍ରଶାନ୍ତ କିଶୋରଙ୍କ ନେତୃତ୍ୱାଧୀନ ଜନ ସୂରଜ ପାର୍ଟି ଶନିବାର ୫୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଅନେକ ପ୍ରଭାବଶାଳୀ ଓ ସାମାଜିକ ମାନ୍ୟତାସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ସୁଯୋଗ ଦିଆଯାଇଛି।

ପ୍ରକାଶିତ ତାଲିକାରେ ପ୍ରସିଦ୍ଧ ଓକିଲ ୱାଇ ଭି ଗିରି, ଭୋଜପୁରୀ ଗାୟକ ଓ ଅଭିନେତା ରିତେଶ ପାଣ୍ଡେ ସହ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ନାମ ଅନ୍ତର୍ଭୁକ୍ତ। ପାର୍ଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନୋଜ ଭାରତୀ କହିଛନ୍ତି, “ଜନ ସୂରଜ ହେଉଛି ଭଲ ଲୋକଙ୍କ ଦଳ। ତାଲିକା ଦେଖିଲେ ଆପଣ ମଧ୍ୟ ଦେଖିପାରିବେ ଯେ ଆମେ ଯୋଗ୍ୟ ଓ ନିଷ୍ଠାବାନ୍ ବ୍ୟକ୍ତିଙ୍କୁ ସୁଯୋଗ ଦେଇଛୁ।”

ଜନ ସୂରଜର ରାଷ୍ଟ୍ରୀୟ ସଭାପତି ଉଦୟ ସିଂହ କହିଛନ୍ତି ଯେ, “ପ୍ରଥମ ତାଲିକାରେ ୫୧ ଜଣ ପ୍ରାର୍ଥୀଙ୍କ ନାମ ଅଛି ଓ ସେଥିରେ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ସମାବେଶ କରାଯାଇଛି। ସଂରକ୍ଷିତ ଆସନ ୭ଟି, ଅତ୍ୟନ୍ତ ପଛୁଆ ୧୭ଟି, ପଛୁଆ ୧୧ଟି ଓ ଅବଶିଷ୍ଟ ସାଧାରଣ ବର୍ଗର ପ୍ରାର୍ଥୀ ଅଛନ୍ତି।

ସେହିପରି ନିର୍ବାଚନ ପ୍ରଚାର ଅକ୍ଟୋବର ୧୧ ରୁ ଆରମ୍ଭ ହେବ ଏବଂ ପ୍ରଶାନ୍ତ କିଶୋର ରାଘୋପୁରରେ ପ୍ରଚାର ଅଭିଯାନକୁ ଶୁଭାରମ୍ଭ କରିବେ।