ଭୁବନେଶ୍ୱର: ଓଡ଼ିଶା ପୁଲିସ ସବ୍ଇନସ୍ପେକ୍ଟର (ଏସ୍ଆଇ) ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆଉ ଏକ ବଡ଼ ଖୁଲାସା କରିଛି। ତଦନ୍ତ ଅଭିଯାନରେ ଟିମ୍ ଭୁବନେଶ୍ୱରସ୍ଥ ଜଣାଶୁଣା ଘରୋଇ କୋଚିଂ ସେଣ୍ଟର ‘ବଣିକ’ ଉପରେ ଚଢ଼ଉ କରିଛି। ଏହି ଇନଷ୍ଟିଟ୍ୟୁଟରେ ଏସ୍ଆଇ ପଦପାଇଁ ପ୍ରଶିକ୍ଷଣ ନେଉଥିବା ଆଶାୟୀ ଚାତ୍ରମାନଙ୍କ ଜଡିତା ଅଭିଯୋଗ ଉଠିଥିଲା।
ସୂତ୍ର ଅନୁସାରେ, ଏପର୍ଯ୍ୟନ୍ତ ଏହି ମାମଲାରେ ଗିରଫ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧ ଜଣ ‘ବଣିକ’ କୋଚିଂ ସେଣ୍ଟରର ନାମ ନେଇଛନ୍ତି। ସେମାନେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ଶାଖାରେ ତାଲିମ ନେଇଥିବା କୁହାଯାଉଛି।
କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରା କହିଛନ୍ତି ଯେ, “୧୦ ଜଣ ପରୀକ୍ଷାର୍ଥୀଙ୍କ ବୟାନ ଆଧାରରେ ଏହି ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ୬ ଜଣ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଛି। ଏସ୍ଆଇ ପ୍ରାର୍ଥୀମାନେ ବଣିକ କୋଚିଂ ସେଣ୍ଟରରେ ଟ୍ରେନିଂ ନେଇଥିଲେ କି ନାହିଁ, ତାହା ଖୋଜାଯାଉଛି। ସର୍ଭର ଡାଉନ ଥିବାରୁ ଡାଟା ରିକଭରିରେ କିଛି ସମସ୍ୟା ହେଉଛି, କିନ୍ତୁ ସମସ୍ତ ତଥ୍ୟ ସଂଗ୍ରହ ପରେ ଟିମ୍ ଫେରିବ।”
ଏହି ମାମଲାରେ ଏପର୍ଯ୍ୟନ୍ତ ୧୧୯ ଜଣ ଗିରଫ ହୋଇଛନ୍ତି, ଯେଉଁଥିରୁ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତି ଏବେବି ଫେରାର ଅଛନ୍ତି।
ପୁଲିସ ଏସ୍ଆଇ ପରୀକ୍ଷା ବାତିଲ୍ ହେବା ପରେ ରାଜ୍ୟ ସରକାର ସମସ୍ତ ନିଯୁକ୍ତି ବୋର୍ଡ ଓ ଆୟୋଗକୁ ନିର୍ଦ୍ଦେଶ ଜାରି କରିଛି ଯେ, ୨୦୨୪ ଜୁନ୍ରୁ ବାତିଲ୍ ହୋଇଥିବା ସମସ୍ତ ପରୀକ୍ଷାର ବିବରଣୀ ଇ-ମେଲ୍ ମାଧ୍ୟମରେ ଦାଖଲ କରିବାକୁ। ଏହାରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି), ଓପିଏସ୍ସି, ଓଏସ୍ଏସ୍ସି, ଓପିଏମ୍ଏସ୍ଏସ୍ବି ସହ ଅନ୍ୟାନ୍ୟ ଚୟନ ବୋର୍ଡ ଓ ସଂଗଠନ ସମିଳିତ ଅଛନ୍ତି।