କଲମ୍ବୋ: ଚଳିତ ଏକଦିବସୀୟ ମହିଳା କ୍ରିକେଟ୍ ବିଶ୍ୱକପ୍ରେ ପାକିସ୍ତାନଙ୍କ ପରାଜୟ ଧାରା ଜାରି ରହିଛି। ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା ମ୍ୟାଚ୍ରେ ୧୦୭ ରନ୍ର ବିଶାଳ ବ୍ୟବଧାନରେ ହାରି, ପାକିସ୍ତାନ ତା’ର ତୃତୀୟ ପରାଜୟ ସ୍ୱୀକାର କରିଛି। ଏହା ସହିତ ଦଳ ପଏଣ୍ଟ୍ ତାଲିକାର ସବୁଠାରୁ ଶେଷ ସ୍ଥାନକୁ ଖସି ପଡ଼ିଛି।
କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ହୋଇଥିବା ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିବା ପାକିସ୍ତାନ ଆରମ୍ଭରେ ଭଲ ପ୍ରଦର୍ଶନ କରିଥିଲା। ମାତ୍ର ୭୬ ରନ୍ରେ ଅଷ୍ଟ୍ରେଲିଆର ୬ ୱିକେଟ୍ ନେଇ ସ୍ଥିତି ଦୃଢ କରିଥିଲେ ପାକିସ୍ତାନ ବୋଲର୍ମାନେ। କିନ୍ତୁ ମଧ୍ୟକ୍ରମ ବ୍ୟାଟର ବେଥ୍ ମୁନି (୧୦୯) ଏବଂ ଆଲନା କିଙ୍ଗ୍ (୫୧* ରନ୍) ଦଳକୁ ସଂକଟରୁ ଉଦ୍ଧାର କରି ୯ ୱିକେଟ୍ରେ ୨୨୧ ରନ୍ର ସମ୍ମାନଜନକ ସ୍କୋର୍ କରିଥିଲେ।
ଲକ୍ଷ୍ୟ ଧାଡ଼ା କରିବାକୁ ନାମିଥିବା ପାକିସ୍ତାନ ବ୍ୟାଟର୍ମାନେ ଆରମ୍ଭରୁ ଧସି ପଡ଼ିଥିଲେ। ୩୬.୩ ଓଭରରେ ସମଗ୍ର ଦଳ ମାତ୍ର ୧୧୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ କିମ୍ ଗ୍ରାଥ୍ ୩/୧୪ ଏବଂ ଆନାବେଲ୍ ସଦରଲାଣ୍ଡ୍ ୨/୧୫ ନେଇ ସଫଳତା ପ୍ରଦର୍ଶନ କରିଥିଲେ। ଆସନ୍ତା ଗୁରୁବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ମ୍ୟାଚ୍ରେ ସମସ୍ତଙ୍କ ନଜର ରହିଛି। ଭାରତ ଦୁଇଟି ମ୍ୟାଚ୍ରେ ଜୟ ପାଇ ଆତ୍ମବିଶ୍ୱାସରେ ଭରପୂର ଅଛି, ଯେତେବେଳେ ଦକ୍ଷିଣ ଆଫ୍ରିକା ଏକ ଜୟ ଏବଂ ଏକ ପରାଜୟ ସହ ସ୍ଥିର ଭାବରେ ଖେଳୁଛି।
ସଂକ୍ଷିପ୍ତ ସ୍କୋର୍:
ଅଷ୍ଟ୍ରେଲିଆ – ୫୦ ଓଭରରେ ୨୨୧ (ବେଥ୍ ମୁନି ୧୦୯, ଆଲନା କିଙ୍ଗ୍ ୫୧*, ନସ୍ରା ସାନ୍ଧୁ ୩/୩୭, ରନିନ ସମିମ ୨/୨୯)
ପାକିସ୍ତାନ – ୩୬.୩ ଓଭରରେ ୧୧୪ (ସିଦ୍ରା ଅମିନ ୩୫, କିମ୍ ଗ୍ରାଥ୍ ୩/୧୪, ଆନାବେଲ୍ ସଦରଲାଣ୍ଡ୍ ୨/୧୫)