କୋଲକାତା: ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ମୋଟ ଗିରଫ ସଂଖ୍ୟା ୬କୁ ପହଞ୍ଚିଛି। ନବୀନତମ ଭାବେ ପୋଲିସ ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଛି, ଯିଏ ଘଟଣା ଦିନ ରାତିରେ ତାଙ୍କ ସହ ବାହାରେ ଯାଇଥିଲେ।

ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନରେଟ୍‌ ତଥ୍ୟ ଅନୁସାରେ, ଗଣଦୁଷ୍କର୍ମ ମାମଲା ସହ ସମ୍ପୃକ୍ତି ଥିବା ସନ୍ଦେହରେ ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି। ପୀଡିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି ଗିରଫି ହୋଇଛି। ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅ ଯେ ରାତିରେ ବାହାରକୁ ଯାଇଥିଲେ, ସେ ବନ୍ଧୁ ଏହି ଘଟଣାରେ ଜଡିତ ହୋଇପାରନ୍ତି।

ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିଲା। ସିପି ସୂଚନା ଦେଇଛନ୍ତି, “ଏପର୍ଯ୍ୟନ୍ତ ଆମେ ଛଅ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛୁ। ଘଟଣା ଦିନ ସେମାନେ ସେଠାରେ ଉପସ୍ଥିତ ଥିଲେ। ପୀଡିତାଙ୍କ ମୋବାଇଲ ଯାହା ଛଡାଇ ନେଇଥିଲେ ତାହା ମଧ୍ୟ ଉଦ୍ଧାର ହୋଇଛି। ସିନ୍ ରିକ୍ରିଏସନ ସହ ସାଇଣ୍ଟିଫିକ ପ୍ରମାଣ ସଂଗ୍ରହ ହୋଇଛି। ଅଭିଯୁକ୍ତଙ୍କ ପୋଷାକ ଜବତ ହୋଇଛି ଓ ଡାକ୍ତରୀ ମାଇନା ହୋଇସାରିଛି।”

ପୀଡିତାଙ୍କ ବୟାନ ଆଧାରରେ ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ସନ୍ଦେହ ଘେରରେ ରହିଛନ୍ତି। ତାଙ୍କୁ ପଚରାଉଚରା ଚାଲିଛି ଓ ତାଙ୍କ ଉପରେ କଡା ନଜର ରଖାଯାଇଛି। ପୀଡିତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇଦିଆଯାଇଛି। ପୋଲିସ ସ୍ପଷ୍ଟ କରିଛି ଯେ, ଏହି ଘଟଣାରେ ଯେଉଁମାନେ ଦୋଷୀ ହେବେ ସେମାନଙ୍କୁ ଛଡାଯିବ ନାହିଁ।