କାରାକାସ୍: ଭେନେଜୁଏଲା ଏବଂ ଆମେରିକା ମଧ୍ୟରେ ରାଜନୈତିକ ଓ ସାମରିକ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାରିବିଆନ୍ ସାଗର ଅଞ୍ଚଳରେ ସେନା ଅଭିଯାନ ଆରମ୍ଭ କରିବାକୁ ଅନୁମୋଦନ ଦେଇଥିବାରୁ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି। ଏହି ଆକ୍ରମଣ ସମ୍ଭାବନା ମଧ୍ୟରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଆମେରିକାକୁ କଠୋର ପ୍ରତିକ୍ରିୟା ଦେବାର ଚେତାବନୀ ଦେଇଛନ୍ତି।

ଆମେରିକୀୟ ଗୁପ୍ତଚର ବିଭାଗ ଦାବି କରିଛି ଯେ, ମାଦୁରୋ ଏବେ ରାଜଧାନୀ କାରାକାସ୍‌ ନିକଟରେ ଥିବା ଏକ ପର୍ବତ ବଙ୍କରରେ ଆଶ୍ରୟ ନେଇଛନ୍ତି ଏବଂ ସେ କ୍ୟୁବାର “ବ୍ଲାକ୍ ୱାସ୍ପ” କମାଣ୍ଡୋ ଦଳର ସୁରକ୍ଷାରେ ଅଛନ୍ତି। ମାଦୁରୋଙ୍କ ନିକଟ ସହଯୋଗୀ ଡିଓସଡାଡୋ କାବେଲୋ ସେନା ଅଧିକାରୀମାନଙ୍କୁ ଅଭିଭାଷଣ ଦେଇ କହିଛନ୍ତି ଯେ, “ଯଦି ଆମେରିକା ଆକ୍ରମଣ କରେ, ଆମେ ଶହେ ବର୍ଷ ଯାଏ ସେମାନଙ୍କ ସହିତ ଯୁଦ୍ଧ କରିବୁ।”

ଗରିଲା ଯୁଦ୍ଧର ପ୍ରସ୍ତୁତି

‘ଦି ସନ୍’ ରିପୋର୍ଟ ଅନୁଯାୟୀ, ଭେନେଜୁଏଲା ଆମେରିକୀୟ ସେନାଙ୍କ ବିରୋଧରେ ଗରିଲା ଯୁଦ୍ଧ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ନେଇଛି। କ୍ଷେପଣାସ୍ତ୍ର, ସ୍ନାଇପର ରାଇଫଲ ଓ ସହରାଞ୍ଚଳ ଯୁଦ୍ଧ ରଣନୀତିରେ ଭେନେଜୁଏଲା ସେନା ଏବଂ ମିଲିସିଆ ଦଳ ପ୍ରସ୍ତୁତ ହେଉଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ଆମେରିକୀୟ ସେନା ଭେନେଜୁଏଲାରେ ପ୍ରବେଶ କରିଲେ ଏହା ଇରାକ କିମ୍ବା ଗାଜା ପରି ଦୀର୍ଘ ଯୁଦ୍ଧର ରୂପ ନିଅଇପାରେ।

ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ଭେନେଜୁଏଲା ସେନା

ଭେନେଜୁଏଲା ପାଖରେ ରୁଷିଆ ନିର୍ମିତ S-300 ବାୟୁ ପ୍ରତିରକ୍ଷା ପ୍ରଣାଳୀ, SU-30 ଯୁଦ୍ଧ ବିମାନ, T-72 ଟ୍ୟାଙ୍କ ଏବଂ Igla-S MANPADS ଭଳି ଅସ୍ତ୍ର ଅଛି। ଯଦିଓ ଆମେରିକା ଏହାକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତି ନେଇଛି, ତଥାପି ଗରିଲା ଯୁଦ୍ଧ ଏବଂ ସ୍ଥାନୀୟ ପ୍ରତିରୋଧ ଆମେରିକୀୟ ସେନା ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ହିଜବୋଲାର ଭୂମିକା

ରିପୋର୍ଟ ଅନୁସାରେ, ପ୍ରାୟ ୧,୦୦୦ ହିଜବୋଲା ଯୋଦ୍ଧା ଭେନେଜୁଏଲାର ମାର୍ଗାରିଟା ଦ୍ୱୀପରେ ରହୁଛନ୍ତି ଏବଂ ତାଙ୍କ ସମର୍ଥନରେ ଆତଙ୍କବାଦୀ ନେଟୱାର୍କ ଚାଲିଛି। ଏହା ଆଗାମୀ ଯୁଦ୍ଧକୁ ଅଧିକ ଜଟିଳ କରିପାରେ।

ଆମେରିକାର ଚିନ୍ତା

ପ୍ରତିରକ୍ଷା ବିଶେଷଜ୍ଞମାନେ ମନେ କରୁଛନ୍ତି, ଯଦି ଆମେରିକା ୪୮ ଘଣ୍ଟା ମଧ୍ୟରେ ପରିସ୍ଥିତି ଉପରେ ନିୟନ୍ତ୍ରଣ ସ୍ଥାପନ କରିପାରିବ ନାହିଁ, ତେବେ ଏହା ଆଫଗାନିସ୍ତାନ ପରି ଦୀର୍ଘ ଏବଂ କ୍ଷୟିଷ୍ଣ ଯୁଦ୍ଧର ରୂପ ନିଅଇପାରେ।