ଭୁବନେଶ୍ୱର: ଭୂ-ରାଜନୈତିକ ଉତ୍ତେଜନା ହ୍ରାସ, ପର୍ବପର୍ବାଣୀ ଚାହିଦା କମିବା ଏବଂ ନିବେଶକମାନଙ୍କ ଲାଭ ତୋଳା ଯୋଗୁ ସୁନା ଦରରେ ରେକର୍ଡ ହ୍ରାସ ହେଇଛି। ବୁଧବାର ଅପରାହ୍ନ ୫ଟାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ମାତ୍ର ୬ ମିନିଟରେ ୧୦ ଗ୍ରାମ ପିଛା ପ୍ରାୟ ୬% ଅର୍ଥାତ୍ ୭,୭୦୦ ଟଙ୍କା ହ୍ରାସ ପାଇଲା। ବିଶେଷଜ୍ଞମାନଙ୍କ ମତାନୁସାରେ ଆଗାମୀ ଦିନରେ ଦର ଆହୁରି ତଳକୁ ଯାଇପାରେ।

ସୁନା ଦର ବର୍ତ୍ତମାନ ତାହାର ରେକର୍ଡ ସ୍ତରଠାରୁ ପ୍ରାୟ ୧୨,୦୦୦ ଟଙ୍କା ହ୍ରାସ ପାଇଛି। MCX ଅନୁସାରେ, ଦ୍ୱିତୀୟାର୍ଦ୍ଧରେ ବଜାର ଖୋଲିବା ସହିତ ସୁନା ଦର ୧.୨୮ ଲକ୍ଷରୁ ଗିଡ଼ି ୧.୨୦ ଲକ୍ଷ ଟଙ୍କାକୁ ଆସିପହଞ୍ଚିଲା। ସନ୍ଧ୍ୟା ୫:୪୦ ପର୍ଯ୍ୟନ୍ତ ସୁନା ପ୍ରତି ୧୦ ଗ୍ରାମ ୧,୨୧,୧୯୮ ଟଙ୍କାରେ ବେପାର ହେଉଥିଲା।

ରୁପା ଦରରେ ମଧ୍ୟ ହ୍ରାସ

ସୁନା ସହିତ ରୁପା ଦରରେ ମଧ୍ୟ ମୋଟ ୪% ହ୍ରାସ ହୋଇଛି। କିଲୋଗ୍ରାମ ପିଛା ରୁପା ୧.୫୦ ଲକ୍ଷ ଠାରୁ ଗିଡ଼ି ୧.୪୩ ଲକ୍ଷ ଟଙ୍କାକୁ ଆସିଛି। ଏହା ଅନୁଯାୟୀ ରୁପା ଦର ଶୁକ୍ରବାରର ସର୍ବାଧିକ ମୂଲ୍ୟଠାରୁ ପ୍ରାୟ ୨୬,୫୦୦ ଟଙ୍କା ହ୍ରାସ ପାଇଛି।

ଆଗାମୀ ଦିନରେ ସୁନା ଆହୁରି ଶସ୍ତା ହୋଇପାରେ

ୟା ୱେଲ୍ଥ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଅନୁଜ ଗୁପ୍ତାଙ୍କ କହିବା ଅନୁସାରେ, ସୁନା ଦର ଆଗାମୀ ଦିନରେ ଆହୁରି ୧୦,୦୦୦ ଟଙ୍କା ହ୍ରାସ ପାଇପାରେ। ଭାରତ-ଆମେରିକା ଏବଂ ଆମେରିକା-ଚୀନ୍ ବାଣିଜ୍ୟ ଉତ୍ତେଜନା ହ୍ରାସ ପାଇବା ସହ ସୁନାର ଚାହିଦା କମିପାରେ।

ତେଣୁ, ଆସନ୍ତା ଦିନଗୁଡ଼ିକରେ ସୁନା ଦର ୧.୧୦ ଲକ୍ଷ ରୁ ୧.୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତଳକୁ ଆସିପାରେ ବୋଲି ଆଶା କରାଯାଉଛି।