ଭୁବନେଶ୍ୱର: ଦେଶବ୍ୟାପୀ ରୋଜଗାର ମେଳା ଅଭିଯାନର ଅଂଶ ଭାବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ରୋଜଗାର ମେଳା ଅବସରରେ କେନ୍ଦ୍ର ଜନଜାତି ବିଭାଗ ମନ୍ତ୍ରୀ ଜୁଏଲ ଓରାମ ୩୦୨ ଓଡ଼ିଆ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ହସ୍ତାନ୍ତର କରିଥିଲେ।

ନୂତନ ନିଯୁକ୍ତିପାତ୍ର ପ୍ରାପ୍ତ ଯୁବମାନେ ଭାରତୀୟ ଡାକ ବିଭାଗ, ରେଳବାଇ, ରାଷ୍ଟ୍ରାୟତ ବ୍ୟାଙ୍କ, କେନ୍ଦ୍ରୀୟ ଜିଏସଟି, ସିଆରପିଏଫ ଏବଂ ଭୁବନେଶ୍ୱର ଏମ୍ସ ସହିତ ବିଭିନ୍ନ କେନ୍ଦ୍ର ସଂସ୍ଥାନରେ ନିଯୁକ୍ତି ମିଳିଛି।

ଜୁଏଲ ଓରାମ ଏହି ଅବସରରେ କହିଥିଲେ ଯେ, “ଏହି ମେଳା ମାଧ୍ୟମରେ ଅନେକ ଯୁବକଯୁବତୀ ନିଜର ସ୍ୱପ୍ନକୁ ସାକାର କରିବାର ସୁଯୋଗ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଯୁବପିଢ଼ି ଆତ୍ମନିର୍ଭର ଏବଂ ରୋଜଗାରକ୍ଷମ ଭାବରେ ଆଗୁଆଁ ଯାଉଛନ୍ତି।” ସେ ଆହୁରି ଯୋଗ କରିଥିଲେ ଯେ ରୋଜଗାର ସୃଷ୍ଟି ମାତ୍ର ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଯୁବ ଶକ୍ତିର ସଶକ୍ତିକରଣ ଓ ଦେଶ ଉନ୍ନତିର ଭିତ୍ତିସ୍ଥମ୍ଭ।

ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବ୍ୟାପୀ ରୋଜଗାର ମେଳାକୁ ସମ୍ବୋଧନ କରିଥିଲେ। ସେ କହିଥିଲେ, “ଏହି ବର୍ଷର ଦୀପାବଳି ସମସ୍ତଙ୍କ ଜୀବନକୁ ଆଲୋକିତ କରିଛି। ସେଥିରେ ନିଯୁକ୍ତିପତ୍ର ପାଇବା ଆନନ୍ଦକୁ ଆଉ ଦ୍ୱିଗୁଣିତ କରିଛି।” ସେ ନୂତନ ନିଯୁକ୍ତିପାତ୍ର ପ୍ରାପ୍ତ ଯୁବମାନଙ୍କୁ ଜୀବନର ନୂଆ ଆରମ୍ଭ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ସେ ଆହୁରି କହିଥିଲେ ଯେ, “ଏହି ନିଯୁକ୍ତି କେବଳ ସରକାରୀ ଚାକିରି ନୁହେଁ, ଏହା ରାଷ୍ଟ୍ରନିର୍ମାଣରେ ସକ୍ରିୟ ଯୋଗଦାନର ଏକ ସୁଯୋଗ। ଯୁବପିଢ଼ି ଯେତେବେଳେ ସେବା ମନୋଭାବ ଓ ପରିଶ୍ରମ ସହିତ କାମ କରିବେ, ସେତେବେଳେ ତାଙ୍କ ସଫଳତା ଦେଶର ସଫଳତାର ରୂପ ନେବ।”