ନୂଆଦିଲ୍ଲୀ, ୨୬/୧୦: ପାକିସ୍ତାନ ସହ ପଶ୍ଚିମ ସୀମାକୁ ନଜରରେ ରଖି ଭାରତ ଏକ ବିଶାଳ ସମରାଭ୍ୟାସ ‘ତ୍ରିଶୂଳ’ ଆରମ୍ଭ କରୁଛି। ଅଭ୍ୟାସ ଅକ୍ଟୋବର ୩୦ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ ଓ ରାଜସ୍ଥାନ ଓ ଗୁଜରାଟର ବିଶାଳ ଅଞ୍ଚଳକୁ ଉଡ଼ାଣ ପାଇଁ ପ୍ରତିବନ୍ଧିତ ଅଞ୍ଚଳ ଘୋଷଣା କରାଯାଇଛି।
ଏହା ପୂର୍ବରୁ ପାକିସ୍ତାନ ମଧ୍ୟ ଅକ୍ଟୋବର ୨୮ ଓ ୨୯ ତାରିଖରେ ନିଜ ଆକାଶ ସୀମାର କିଛି ଅଞ୍ଚଳକୁ ପ୍ରତିବନ୍ଧିତ କରିଥିଲା, ଯାହା ସମ୍ଭବତଃ କ୍ଷେପଣାସ୍ତ୍ର ପରୀକ୍ଷା କିମ୍ବା ଏକ ସାମରିକ ଅଭ୍ୟାସ ପାଇଁ ହୋଇଥିବା ଅନୁମାନ ହେଉଛି। ଏହି ଘଟଣା ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରତିକ।
ଏକ ବରିଷ୍ଠ ସେନା ଅଧିକାରୀ ଜଣାଇଛନ୍ତି, ଏହା ଏକ ‘ନିୟମିତ’ ବାର୍ଷିକ ଅଭ୍ୟାସ ହେଲେ ମଧ୍ୟ ଏବେର ‘ତ୍ରିଶୂଳ’ ଅଧିକ ବ୍ୟାପକ ଓ ଜଟିଳ ଭାବେ ପରିଚାଳିତ ହେବ। ଏଥିରେ ଆକ୍ରମଣାତ୍ମକ ଓ ପ୍ରତିରକ୍ଷାାତ୍ମକ ଅଭିଯାନ ସହିତ ତିନି ସେନା — ସେନା, ନୌସେନା ଓ ବାୟୁସେନା — ମିଳିତ ଭାବେ ଅଂଶଗ୍ରହଣ କରିବେ।
ତିନି ବାହିନୀର ସମନ୍ୱିତ ଅଭିଯାନ
ଭାରତୀୟ ସେନା ୨୦ ହଜାରରୁ ଅଧିକ ସୈନ୍ୟ, ଟ୍ୟାଙ୍କ, ତୋପ, କ୍ଷେପଣାସ୍ତ୍ର ଓ ହେଲିକପ୍ଟର ନିୟୋଜନ କରିଛି। ବାୟୁସେନା ‘ମହା ଗୁଜୁରାଟ’ ନାମରେ ଏକ ଉଚ୍ଚ ଗତିର ଅଭିଯାନ ପରିଚାଳନା କରିବ, ଯେଉଁଥିରେ ରାଫେଲ, ସୁଖୋଇ-୩୦, ଡ୍ରୋନ, IL-୭୮ ଓ ଏବର୍ନ ସତର୍କତା ବିମାନ ସାମିଲ ହେବ। ନୌସେନା ଗୁଜରାଟ ଉପକୂଳରେ ଫ୍ରିଗେଟ୍ ଓ ବିଧ୍ୱଂସକ ଜାହାଜ ନିୟୋଜନ କରିଛି।
ପାକିସ୍ତାନ ପାଇଁ ଚେତାବନୀ ସନ୍ଦେଶ
ଏହି ଅଭ୍ୟାସ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ଚେତାବନୀ ପରେ ହେଉଛି, ଯେଉଁଥିରେ ସେ କଚ୍ଛ ରଣ ନିକଟ ସାର୍ କ୍ରିକ୍ ଅଞ୍ଚଳରେ ପାକିସ୍ତାନକୁ ସତର୍କ କରିଥିଲେ। ସେ କହିଥିଲେ, “ଯଦି ପାକିସ୍ତାନ ସାର୍ କ୍ରିକ୍ ସେକ୍ଟରରେ କିଛି କରିବାକୁ ସାହସ କରେ, ତେବେ ପ୍ରତିକ୍ରିୟା ଏତେ କଡ଼ା ହେବ ଯେ ଇତିହାସ ଓ ଭୂଗୋଳ ଉଭୟ ପରିବର୍ତ୍ତନ ହେବ।”
ଆଧୁନିକ ଅସ୍ତ୍ର ଓ ପ୍ରସ୍ତୁତିର ପରୀକ୍ଷା
‘ତ୍ରିଶୂଳ’ ଅଭ୍ୟାସ ଭାରତୀୟ ସେନାର ଆଧୁନିକ ଅସ୍ତ୍ରଶସ୍ତ୍ର ଓ ପ୍ରଯୁକ୍ତିବିଦ୍ୟାର କ୍ଷମତା ଦର୍ଶାଇବ। ଏହା କେବଳ ପାକିସ୍ତାନ ପାଇଁ ଦୃଢ଼ ସନ୍ଦେଶ ନୁହେଁ, ଭାରତ ଯେ ଯେକୌଣସି ଚ୍ୟାଲେଞ୍ଜ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ମଧ୍ୟ ସ୍ପଷ୍ଟ କରେ।





