ଭୁବନେଶ୍ୱର, ୨୬ ଅକ୍ଟୋବର: ଦକ୍ଷିଣ–ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଢ଼ ଲଘୁଚାପ ଶନିବାର ପୂର୍ବାହ୍ଣରେ ଅବପାତରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଏହା ଅକ୍ଟୋବର ୨୭ରେ ବାତ୍ୟାର ରୂପ ନେଇପାରେ ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଯଦିଓ ଏହା କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି, କିନ୍ତୁ ଏହାର ପ୍ରଭାବରେ ଆନ୍ଧ୍ର, ତାମିଲନାଡୁ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷାର ପୂର୍ବାନୁମାନ
ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ କହିଛନ୍ତି, ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ମାଲକାନଗିରି ଓ କୋରାପୁଟରେ ଅତି ଭାରି ବର୍ଷା ହେବାର ସମ୍ଭାବନା ଥିବାବେଳେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ଆଶା।
ସମୁଦ୍ର ଅଶାନ୍ତ, ମତ୍ସ୍ୟଜୀବୀଙ୍କୁ ସତର୍କ ସନ୍ଦେଶ
୨୬ ତାରିଖରୁ ଏହି ବାତ୍ୟା ଆହୁରି ଶକ୍ତିଶାଳୀ ହେବ ଓ ଗଭୀର ଅବପାତରେ ପରିଣତ ହୋଇପାରେ। ଅକ୍ଟୋବର ୨୭ ସକାଳ ସୁଦ୍ଧା ଏହା ବଙ୍ଗୋପସାଗରର ଦକ୍ଷିଣ–ପଶ୍ଚିମ ଅଞ୍ଚଳରେ ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ସମୁଦ୍ର ଅଶାନ୍ତ ରହିବାରୁ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ IMD ଚେତାବନୀ ଜାରି କରିଛି।
୩୦ ଅକ୍ଟୋବର ପର୍ଯ୍ୟନ୍ତ ବର୍ଷା ଜାରି ରହିବ
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଜଣାଇଛନ୍ତି ଯେ, ବର୍ଷା ଅକ୍ଟୋବର ୨୭ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପବନ ବେଗ ପ୍ରତିଘଣ୍ଟା ୬୦–୭୦ କିମି ରହିପାରେ ଓ ଝଟକା ପବନ ବେଗ ୮୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ସେହିପରି ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଦିଆଯାଇଛି।
ସରକାରୀ ପ୍ରସ୍ତୁତି ଜାରି
ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ନେଇଛି। ସ୍ବତନ୍ତ୍ର ରିଲିଫ କମିଶନର ଓ ଜଳ ସମ୍ପଦ ବିଭାଗ ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ପରିସ୍ଥିତି ଉପରେ ସମୀକ୍ଷା କରି ଜଣାଇଛନ୍ତି ଯେ, ବାତ୍ୟା ଅବସ୍ଥା ଦେଖି ସ୍କୁଲ ଛୁଟି ଓ ଅଧିକାରୀମାନଙ୍କ ଛୁଟି ବାତିଲ ନେଇ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ।





