ଭୁବନେଶ୍ୱର, ୨୪ ଅକ୍ଟୋବର: ବାତ୍ୟା ‘ମୋନ୍ଥା’ର ପ୍ରଭାବକୁ ଲକ୍ଷ୍ୟରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଦିନ ପାଇଁ ସ୍କୁଲ ଏବଂ ଅଙ୍ଗନବାଡ଼ି ବନ୍ଦ ଘୋଷଣା କରାଯାଇଛି। ଭାରତୀୟ ଆବହା ଅଧିକାରୀ (IMD) ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ, ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି।

ଏହି ପରିସ୍ଥିତି ଦୃଷ୍ଟିରେ ଜିଲ୍ଲାପାଳ ନିର୍ଦ୍ଦେଶ ଅନୁସାରେ ଅକ୍ଟୋବର ୨୮ ଏବଂ ୨୯ ତାରିଖ ରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିବ। ପ୍ରଶାସନ ପକ୍ଷରୁ ଏହାକୁ ସତର୍କତାମୂଳକ ପଦକ୍ଷେପ ଭାବେ ଦେଖାଯାଇଛି।

ଭୁବନେଶ୍ୱରରେ ବର୍ଷା ଓ ପବନ:

ବାତ୍ୟା ପ୍ରଭାବ ଆରମ୍ଭ ହେବା ସହ ରାଜଧାନୀ ଭୁବନେଶ୍ୱରରେ ଆକାଶ ମେଘାଚ୍ଛନ୍ନ ଓ ଝିପଝିପ ବର୍ଷା ଦେଖିବାକୁ ମିଳିଛି। ଦିନରେ ପ୍ରାୟ ୧୫ରୁ ୨୦ ମିନିଟ୍‌ ଧରି ବର୍ଷା ହୋଇଥିବାରୁ ରାସ୍ତା ଭିଜିଯାଇଛି ଓ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଏମସିର ପ୍ରସ୍ତୁତି:

ଏପଟେ, ଭୁବନେଶ୍ୱର ମୁନିସିପାଲ କର୍ପୋରେସନ୍‌ (ବିଏମସି) ବାତ୍ୟା ମୋନ୍ଥାକୁ ମୁକାବିଲା କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି ଓ ବିଭିନ୍ନ ବିଭାଗ ସହିତ ଆଲୋଚନା କରି ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ବର୍ଷା ପରେ ଯଦି କୌଣସି ଜଳବନ୍ଦୀ, ବନ୍ୟା କିମ୍ବା ଗଛ ପଡିବା ଘଟଣା ହୁଏ, ତେବେ ତତ୍କ୍ଷଣାତ୍ ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ।

ନାଗରିକମାନେ ଯେକୌଣସି ଜରୁରୀ ସ୍ଥିତି ହେଲେ ହେଲ୍ପଲାଇନ ନମ୍ବର ୧୯୨୯ ରେ ସମ୍ପର୍କ କରିପାରିବେ।