ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ଦରମିଆନେ ଗୁରୁତର ଆଘାତ ପାଇଥିବା ଭାରତୀୟ କ୍ରିକେଟର ଶ୍ରେୟସ ଆୟରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସିଡନୀରେ ମ୍ୟାଚ୍ ସମୟରେ କ୍ୟାଚ୍ ନେବା ବେଳେ ତାଙ୍କ ପଞ୍ଜରାରେ ଭୟଙ୍କର ଆଘାତ ଲାଗିଥିଲା। ରକ୍ତସ୍ରାବ ହେବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇ ଆଇସିୟୁରେ ରଖାଯାଇଛି।
୭ ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରହିବେ
ସୂତ୍ରମାନଙ୍କ ଅନୁସାରେ, ଶ୍ରେୟସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିର୍ଭର କରି ସେ ୨ରୁ ୭ ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ନିକଟ ନିରୀକ୍ଷଣ ଅଧୀନରେ ରହିବେ। ରକ୍ତସ୍ରାବ ଯୋଗୁ ଶରୀରରେ ସଂକ୍ରମଣ ବିସ୍ତାରିତ ହେବାର ଆଶଙ୍କା ଥିବାରୁ ଡାକ୍ତରମାନେ ସତର୍କ ଅଛନ୍ତି।
କେମିତି ଘଟିଲା ଘଟଣା
ସିଡନୀ ODI ସମୟରେ ଶ୍ରେୟସ ଆୟର ଅଷ୍ଟ୍ରେଲିୟ ୱିକେଟକିପର ଆଲେକ୍ସ କ୍ୟାରିଙ୍କ ଏକ ଶାନ୍ଦାର କ୍ୟାଚ୍ ନେବାକୁ ଚେଷ୍ଟା କରିଥିଲେ। ସେ Backward Point ଠାରୁ ପଛକୁ ଧାଇ ତାହା ଧରିଥିଲେ, କିନ୍ତୁ ସେତେବେଳେ ତାଙ୍କର ଭାରସାମ୍ୟ ହରାଇ ଭୁଇଁକୁ ପଡ଼ି ଗୁରୁତର ଭାବରେ ତାଙ୍କ ବାମ ପଞ୍ଜରାରେ ଆଘାତ ଲାଗିଥିଲା। ଫିଲ୍ଡିଂ ସେସ କରି ଡ୍ରେସିଂ ରୁମକୁ ଫେରିବା ପରେ ଯେତେବେଳେ ସେ ନିଶ୍ୱାସ ନେବାରେ ଅସୁବିଧା ଓ ଯନ୍ତ୍ରଣା ଅନୁଭବ କରିଥିଲେ, ସେତେବେଳେ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ।
ପରୀକ୍ଷାରେ ତାଙ୍କ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହୋଇଥିବା ଜଣାପଡ଼ିଥିଲା। ଏହିକାରଣରୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଜାରି ରହିଛି। ସୁସ୍ଥ ହେବା ପରେ ସେ ଭାରତକୁ ଫେରିବେ ବୋଲି ଡାକ୍ତରମାନେ କହିଛନ୍ତି।





