ଭୁବନେଶ୍ୱର, ୨୮ ଅକ୍ଟୋବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ‘ମୋନ୍ଥା’ ଏବେ ଭୀଷଣ ବାତ୍ୟାର ରୂପ ଧାରଣ କରିଛି। ଗୋପାଳପୁରଠାରୁ ପ୍ରାୟ ୫୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ଏହି ବାତ୍ୟା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।

ଆଜି ସଂଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପାଟନମ ଏବଂ କଳିଙ୍ଗପାଟନମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାତ୍ୟା ଉପକୂଳ ନିକଟ ହେଉଥିବାରୁ ବେଗ ବୃଦ୍ଧି ପାଇ ଭୟାବହ ରୂପ ନେଇଛି। ପବନ ବେଗ ୯୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ହେବା ସହ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ଜଣାଇଛି।

ଏପରିସରେ, ମୋନ୍ଥା ବାତ୍ୟାର ‘ଆଖି’ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି — ବାତ୍ୟା ଭୀଷଣ ରୂପ ନେଇସାରିଛି, କିନ୍ତୁ ଏଯାଏଁ ତାହାର ଆଖି ଗଠିତ ହୋଇନି। ସେହିପରି, ଅଧିକାରୀମାନେ ଉପକୂଳ ଅଞ୍ଚଳରେ ନିବାସୀଙ୍କୁ ସତର୍କ ରହିବା ଓ ସୁରକ୍ଷିତ ସ୍ଥାନକୁ ସରିବା ପାଇଁ ପରାମର୍ଶ ଦେଇଛନ୍ତି।