ପଟନା, ୨୮ ଅକ୍ଟୋବର: ରାଜନୈତିକ ରଣନୀତିକାର ଠାରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋରଙ୍କୁ ନିର୍ବାଚନ କମିସନ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କାରଣ ତାଙ୍କ ନାମ ବିହାର ଓ ପଶ୍ଚିମବଙ୍ଗ – ଏହି ଦୁଇଟି ରାଜ୍ୟର ଭୋଟର ତାଲିକାରେ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବିହାରର ସାସାରାମର ରିଟର୍ଣ୍ଣିଂ ଅଫିସର ପ୍ରଶାନ୍ତ କିଶୋରଙ୍କୁ ତିନି ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦେଶ ଦେଇ ଏକ ନୋଟିସ ଜାରି କରିଛନ୍ତି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ତାଙ୍କୁ ଜଣାଇଛନ୍ତି ଯେ ଦୁଇ ଭିନ୍ନ ସ୍ଥାନରେ ଭୋଟର ଭାବରେ ପଞ୍ଜିକୃତ ହେବା ନିୟମବିରୋଧୀ।

ଏପରିସରେ, କୋଲକାତା ରିଟର୍ଣ୍ଣିଂ ଅଫିସର ମଧ୍ୟ ନିଶ୍ଚିତ କରିଛନ୍ତି ଯେ ପଶ୍ଚିମବଙ୍ଗ ଭୋଟର ତାଲିକାରେ କିଶୋରଙ୍କ ଠିକଣା “୧୨୧, କାଲିଘାଟ ରୋଡ୍” ଭାବରେ ଥିବା ତାଲିକାଭୁକ୍ତ, ଯାହା ଭବାନୀପୁର ନିର୍ବାଚନ ମଣ୍ଡଳୀର ଅଂଶ ଏବଂ ସେହିଠାରେ ତୃଣମୂଳ କଂଗ୍ରେସର ମୁଖ୍ୟାଳୟ ଅବସ୍ଥିତ। ଭବାନୀପୁର ହେଉଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ କ୍ଷେତ୍ର।

ଅଧିକାରୀ ଆହୁରି ଜଣାଇଛନ୍ତି, ପ୍ରଶାନ୍ତ କିଶୋରଙ୍କ ମତଦାନ କେନ୍ଦ୍ର ‘ସେଣ୍ଟ ହେଲେନ୍ ସ୍କୁଲ, ବି. ରାଣୀଶଙ୍କରୀ ଲେନ୍’ ଭାବେ ତାଲିକାଭୁକ୍ତ ଅଛି। ଏହି ଦୁଇଥର ନାମଲେଖା ଉପରେ ତାଙ୍କ ସ୍ପଷ୍ଟୀକରଣ ମିଳିବା ପରେ ନିର୍ବାଚନ କମିସନ ପରବର୍ତ୍ତୀ ପଦକ୍ଷେପ ନେବ।