ଇସଲାମାବାଦ, ୨୮ ଅକ୍ଟୋବର: ମଙ୍ଗଳବାର ସକାଳେ ପାକିସ୍ତାନର ବେଲୁଚିସ୍ତାନ ଆକାଶରେ ଏକ ରଙ୍ଗୀନ ଆକୃତି ଦେଖାଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଛି। ଆକାଶରେ ଏହି ଆଲୋକିତ ବଳୟକୁ ଦେଖି ଅନେକେ ଏହାକୁ ପାକିସ୍ତାନର ନୂତନ କ୍ଷେପଣାସ୍ତ୍ର ପରୀକ୍ଷଣ କିମ୍ବା ସାମରିକ ପ୍ରଯୁକ୍ତିବିଦ୍ୟା ସହିତ ସମ୍ପର୍କିତ ବୋଲି ଅନୁମାନ କରିଥିଲେ। କିନ୍ତୁ ବାସ୍ତବରେ ଏହା ପ୍ରକୃତିର ଏକ ସୁନ୍ଦର ଦୃଶ୍ୟ ମାତ୍ର ଥିଲା।
ପାକିସ୍ତାନ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ ଏହା ଆସଲେ ଏକ ଲେଣ୍ଟିକୁଲାର ମେଘ ଗଠନ (Lenticular Cloud Formation) ଥିଲା, ଯାହା ବେଲୁଚିସ୍ତାନର କୋହ-ଏ-ମୁର୍ଦ୍ଦାର ଅଞ୍ଚଳରେ ଭୋର ସମୟରେ ଦେଖାଯାଇଥିଲା। ଏହି ମେଘ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଆକାଶରେ ରହିଥିଲା ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଅଦୃଶ୍ୟ ହୋଇଯାଇଥିଲା।
ଲେଣ୍ଟିକୁଲାର ମେଘ କ’ଣ?
ଯୁକ୍ତରାଜ୍ୟ ପାଣିପାଗ ବିଭାଗ ଅନୁସାରେ, ଏହି ପ୍ରକାରର ମେଘ ଲେନ୍ସ ଆକୃତିର ହୋଇଥାଏ ଏବଂ ପାହାଡ଼ କିମ୍ବା ପର୍ବତ ଅଞ୍ଚଳରେ ବାୟୁ ସ୍ଥିର ଥିଲେ ଏବଂ ସମାନ ଦିଗରୁ ପବନ ବହୁଥିଲେ ଗଠନ ହୁଏ। ଏହି ମେଘଗୁଡ଼ିକ ଅନେକ ସମୟରେ UFO (ଅଜ୍ଞାତ ଉଡ଼ନ୍ତା ବସ୍ତୁ) ସହିତ ଭୁଲ ବୁଝାଯାଏ କାରଣ ସେଗୁଡ଼ିକ ଉଡ଼ନ୍ତା ଥାଳିଆ ପରି ଦେଖାଯାଏ।
ପାକିସ୍ତାନର ଏହି ଅସାମାନ୍ୟ ଦୃଶ୍ୟ ସେଠାର ଲୋକମାନଙ୍କୁ ଆଶ୍ଚର୍ଯ୍ୟରେ ଫେଲିଥିଲା ଏବଂ ସୋସିଆଲ ମିଡିଆରେ ଅନେକ ମେମ୍ସ ଓ ଭିଡିଓ ଭାଇରାଲ ହୋଇଯାଇଛି।





