ଭୁବନେଶ୍ବର, ୭ ଅକ୍ଟୋବର: ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ବାତ୍ୟା ମୋନ୍ଥା ସ୍ଥଳଭାଗ ଛୁଇଁ ଗଲା। ପାଞ୍ଚ ଘଣ୍ଟା ଯାଏଁ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବା ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ଓଡିଶାର ବହୁ ଅଞ୍ଚଳରେ ବର୍ଷା ହେଉଛି ଏବଂ ଆସନ୍ତାକାଲି ମଧ୍ୟ ଏହି ପରିସ୍ଥିତି ଜାରି ରହିବ।

ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନକୁ ଆସନ୍ତାକାଲି (ବୁଧବାର) ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଏହା ସମ୍ପର୍କରେ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଧନ ଓ ଜୀବନ ସୁରକ୍ଷା ସହିତ ତଥା କ୍ଷୟକ୍ଷତି ମରାମତି ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ, ମୋନ୍ଥା ପ୍ରଭାବ ସତ୍ତ୍ୱେ ମଙ୍ଗଳବାର ଦିନ ନନ୍ଦନକାନନରେ ପର୍ଯ୍ୟଟକ ସଂଖ୍ୟା କମ ହୋଇନି। ଦିନେ ୧୨,୭୧୪ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ଏବଂ ୯୨ ଜଣ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଯାଇଥିବା ଟିକେଟ ବିକ୍ରୀରୁ ଜଣାପଡ଼ିଛି।

ଶିମିଳିପାଳ ମଧ୍ୟ ରହିବ ବନ୍ଦ

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କା ରହିଥିବାରୁ ଆସନ୍ତାକାଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟ ବନ୍ଦ ରଖାଯିବ। ଏହା ସମ୍ପର୍କରେ କ୍ଷେତ୍ର ନିର୍ଦ୍ଦେଶକ ଏବଂ ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶଚାନ୍ଦ ଗୋଗିନେନି ଜଣାଇଛନ୍ତି।

ଏହାସହିତ କଳିଆଣି ତନଖି ଫାଟକ (ଯଶିପୁର) ଓ ପିଠାବଟା ତନଖି ଫାଟକ (ବାରିପଦା) ଦେଇ ଜଙ୍ଗଲ ଭିତରକୁ ଯାଇଥିବା ଦୈନିକ ୬୦ଟି ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଛି। ତାଳବନ୍ଧ, ଜାମୁଆଣି ଓ ଗୁଡୁଗୁଡିଆ ସଫାରି ଯାନ ସେବା ମଧ୍ୟ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିଷେଧ ଜାରି ରହିବ।

ପ୍ରଶାସନ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଆହ୍ବାନ କରିଛି ଯେ ସେମାନେ ସତର୍କ ରହି ଅନାବଶ୍ୟକ ଯାତ୍ରା ଏଡ଼ିବେ।