ନୂଆଦିଲ୍ଲୀ, ୮ ଅକ୍ଟୋବର: ଶିଶୁମାନଙ୍କ ମଧ୍ୟରେ ଭବିଷ୍ୟତ ମୁଖୀ ଚିନ୍ତାଧାରା ଗଢ଼ି ତୋଳିବା ଏବଂ ଟେକ୍ନୋଲୋଜି ଭିତ୍ତିକ ଦକ୍ଷତା ବିକାଶ କରିବାକୁ ଲକ୍ଷ୍ୟରେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବେ ଦେଶର ସମସ୍ତ ସ୍କୁଲରେ ତୃତୀୟ ଶ୍ରେଣୀଠାରୁ କୃତ୍ରିମ ବୁଦ୍ଧିମତା (Artificial Intelligence) ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ (Computational Thinking) ଶିକ୍ଷା ଆରମ୍ଭ କରିବାକୁ ଯୋଜନା କରିଛି।

ଏହି ନୂତନ ପାଠ୍ୟକ୍ରମ ୨୦୨୬-୨୭ ଶିକ୍ଷା ବର୍ଷଠାରୁ ଲାଗୁ ହେବ ଓ ଏହାକୁ ଜାତୀୟ ଶିକ୍ଷା ନୀତି ୨୦୨୦ (NEP 2020) ଅନୁସାରେ ପ୍ରଚଳନ କରାଯିବ। ଏହି ପାଇଁ ଡିସେମ୍ବର ୨୦୨୫ ମଧ୍ୟରେ ନୂଆ ପାଠ୍ୟ ସାମଗ୍ରୀ, ହ୍ୟାଣ୍ଡବୁକ୍ ଏବଂ ଡିଜିଟାଲ୍ ସମ୍ବଳ ବିକାଶ କାମ ଶେଷ କରାଯିବ।

ଶିକ୍ଷା ବିଭାଗ ଏହି ପାଇଁ ସିବିଏସଇ, ଏନସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ ଏବଂ ଆଇଆଇଟି ମାଡ୍ରାସ ଭଳି ସଂସ୍ଥାମାନଙ୍କ ସହ ଏକ ଯୁକ୍ତ ପରିକଳ୍ପନା ଗଢ଼ି ନେଇଛି। ଏହାର ନେତୃତ୍ୱ ଆଇଆଇଟି ମାଡ୍ରାସର ପ୍ରଫେସର କାର୍ତ୍ତିକ ରମଣ କରୁଛନ୍ତି।

୨୯ ଅକ୍ଟୋବରରେ ଏଥିପାଇଁ ଅନୁଷ୍ଠିତ ଏକ ଅଂଶୀଦାର ବୈଠକରେ ବିଭିନ୍ନ ବିଶେଷଜ୍ଞ ଓ ଶିକ୍ଷା ସଂଗଠନ ଯୋଗ ଦେଇଥିଲେ। ଏଥିରେ ସମସ୍ତେ ଏହି ପାଠ୍ୟକ୍ରମକୁ ଆଗାମୀ ପିଢ଼ୀ ପାଇଁ ଏକ ମାଇଲ୍‌ଷ୍ଟୋନ୍ ଭାବରେ ଆଖ୍ୟା ଦେଇଥିଲେ।

ସ୍କୁଲ ଶିକ୍ଷା ସଚିବ ସଞ୍ଜୟ କୁମାର କହିଛନ୍ତି – “କୃତ୍ରିମ ବୁଦ୍ଧିମତା ଆଜିର ଦୁନିଆରେ ଏକ ମୌଳିକ ଦକ୍ଷତା, ଯାହା ଶିକ୍ଷା ସହ ସାମାଜିକ ଜୀବନର ଅଂଗ ହେବା ଉଚିତ।”

ଏଆଇ ଶିକ୍ଷା ଆରମ୍ଭ ହେଲେ ଶିଶୁମାନେ ଆରମ୍ଭରୁ ଟେକ୍ନୋଲୋଜି ସହ ପରିଚିତ ହେବେ, ନୈତିକ ଭାବରେ ଏଆଇ ବ୍ୟବହାର ଶିଖିବେ ଓ ଭବିଷ୍ୟତରେ ଗୋଟିଏ ସୁଦୃଢ଼ ଟେକ୍ନୋଲୋଜିକଲ୍ ନେଶନ୍ ଗଢ଼ିବାରେ ଭୂମିକା ନେବେ।