ନୂଆଦିଲ୍ଲୀ: ବିଶ୍ୱ ରାଜନୈତିକ ମଞ୍ଚରେ ଶକ୍ତି ସଂଘର୍ଷ ମଧ୍ୟରେ ଭାରତ ଓ ଆମେରିକା ଏକ ବିଶେଷ ପଦକ୍ଷେପ ନେଇଛନ୍ତି। ଦୁଇ ଦେଶ ମଧ୍ୟରେ ୧୦ ବର୍ଷ ମିଆଦର ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର ହୋଇଛି, ଯାହାକୁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇ ଦେଶର ରଣନୈତିକ ସମନ୍ୱୟର ନୂତନ ସଙ୍କେତ ଭାବରେ ବର୍ଣ୍ଣନା କରିଛନ୍ତି।
ଏହି ଚୁକ୍ତିନାମା ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ହୋଇଥିଲା। ସ୍ୱାକ୍ଷର ସମୟରେ ଆମେରିକାର ପ୍ରତିରକ୍ଷା ସଚିବ ପିଟର ହେଗସେଥ୍ ଉପସ୍ଥିତ ଥିଲେ। ଏହି ଚୁକ୍ତି ସେତେବେଳେ ସମ୍ଭବ ହେଲା, ଯେତେବେଳେ ଶୁଳ୍କ ଓ ବ୍ୟାପାର ସମ୍ପର୍କିତ ଉତ୍ତେଜନା ପରେ ଉଭୟ ଦେଶ ସମ୍ପର୍କକୁ ପୁନର୍ବାର ମଜବୁତ କରିବା ଉଦ୍ୟମ ନେଉଛନ୍ତି।
ଆମେରିକା ଭାରତୀୟ ପଣ୍ୟ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ମଧ୍ୟ ଭାରତ ନିଜ ନୀତିରେ ଦୃଢ଼ ରହିଛି। ଏହା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ସମ୍ପର୍କ ସୁଧାରିବା ପ୍ରତି ଆଗ୍ରହ ଦେଖାଇଥିଲେ। ଏମିତି ପରିସ୍ଥିତିରେ ଏହି ପ୍ରତିରକ୍ଷା ଚୁକ୍ତି ଦୁଇ ଦେଶର ସମ୍ପର୍କକୁ ନୂତନ ଦିଗ ଦେବାରେ ସକ୍ଷମ ବୋଲି ମନେ କରାଯାଉଛି।
ଚୁକ୍ତି ସ୍ୱାକ୍ଷର ପରେ ରାଜନାଥ ସିଂହ ଟ୍ୱିଟରରେ ଲେଖିଛନ୍ତି —
“ଏହା ଆମର ଦୃଢ଼ ପ୍ରତିରକ୍ଷା ସହଭାଗୀତାରେ ଏକ ନୂତନ ଯୁଗର ଆରମ୍ଭ।”
ସେ ଆହୁରି କହିଛନ୍ତି ଯେ, ଏହି ଚୁକ୍ତି ଦୁଇ ଦେଶର ମଧ୍ୟରେ ରଣନୈତିକ ସମନ୍ୱୟ ଓ ସେନା ଅଭ୍ୟାସକୁ ଆଗକୁ ବଢ଼ାଇବ। ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମୁକ୍ତ, ଖୋଲା ଏବଂ ନିୟମ-ଆଧାରିତ ନାଭିଗେସନ ସୁନିଶ୍ଚିତ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ।





