ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ଖେତ୍ରରେ ଅଧିକାଂଶ ଅଧ୍ୟାପକ ପଦ ଖାଲି ପଡ଼ିଥିବାବେଳେ ସରକାର ନୂତନ ନିଯୁକ୍ତି ଦେଉ ନାହାନ୍ତି। ଅପରପକ୍ଷରେ ଅବସରପ୍ରାପ୍ତ ଅଧ୍ୟାପକ ଓ ଅଧିକାରୀମାନଙ୍କୁ ଅତିଥି ଅଧ୍ୟାପକ ଏବଂ ଅଣଶିକ୍ଷକ ପଦରେ ନିଯୁକ୍ତି କରିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିଷ୍ପତ୍ତି ପରେ ଯୁବ ଆଶାୟୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଗତ ୨୩ ସେପ୍ଟେମ୍ବରରେ ଉଚ୍ଚଶିକ୍ଷା ବିଭାଗ ମୋଟ ୪୮୮ଟି ଡିଗ୍ରୀ ଏବଂ ୬୬୨ଟି ସଂସ୍କୃତ କଲେଜରେ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ନିଯୁକ୍ତି ଚଳିତ ଶିକ୍ଷାବର୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାଲୁ ରହିବ।

ଏହି ପରିସ୍ଥିତିରେ ଏସ୍‌ଏସ୍‌ବି ଅଧ୍ୟାପକ ଆଶାୟୀମାନେ ସରକାରଙ୍କ ନୀତିକୁ ତୀବ୍ର ନିନ୍ଦା କରିଛନ୍ତି। ସେମାନଙ୍କ ଅଭିଯୋଗ, ଯେଉଁଠାରେ ନିୟମିତ ଭାବେ ନୂତନ ନିଯୁକ୍ତି ପାଇଁ ପଦକ୍ଷେପ ହେବା ଉଚିତ୍, ସେଠାରେ ସରକାର ଅବସରପ୍ରାପ୍ତଙ୍କୁ ଚାକିରି ଦେଇ ଯୁବବର୍ଗଙ୍କ ଅଧିକାର ହରଣ କରୁଛନ୍ତି।

ଏହି ନିଯୁକ୍ତି ସମ୍ବନ୍ଧିତ ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ଅଛି। ଆଶାୟୀମାନଙ୍କ ଅଭିଯୋଗ, ସରକାର ପକ୍ଷରୁ ଏପରିକି ଆଡଭୋକେଟ୍‌ ଜେନେରାଲ୍‌ (AG) ମଧ୍ୟ ଶୁଣାଣି ସମୟରେ ଉପସ୍ଥିତ ରହୁନାହାନ୍ତି, ଯାହା ଫଳରେ ମାମଲା ବିଳମ୍ବ ହେଉଛି।

ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି, “ଉଚ୍ଚଶିକ୍ଷା ବିଭାଗ ଅଧ୍ୟାପକ ନିଯୁକ୍ତି ପ୍ରତି ଗମ୍ଭୀର ନୁହେଁ। ନିୟମିତ ଭାବେ ଏସ୍‌ଏସ୍‌ବି ମାଧ୍ୟମରେ ନିଯୁକ୍ତି କରାଯାଇଲେ ଅଧ୍ୟାପକ ଅଭାବ ଭଳି ଅବସ୍ଥା ସୃଷ୍ଟି ହେବ ନାହିଁ।”

ଆଶାୟୀମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ତ୍ୱରିତ ପଦକ୍ଷେପ ନ ହୋଇ, ସେମାନେ ଆନ୍ଦୋଳନକୁ ବ୍ୟାପକ କରିବେ। ସାମ୍ବାଦିକ ସମ୍ମିଳନୀରେ ସଂଗ୍ରାମ ମୋହାଲିକ, କମଳାକାନ୍ତ ଶତପଥି, ବିଜୟ ମଲ୍ଲିକ, ରଞ୍ଜିତ ପ୍ରଧାନ ଓ ଅନେକ ଯୁବକ-ଯୁବତୀ ଉପସ୍ଥିତ ଥିଲେ।