ନୂଆଦିଲ୍ଲୀ, ୩ ନଭେମ୍ବର: ଭାରତର ଡିଜିଟାଲ୍ ଅର୍ଥନୀତି ଦିନକୁ ଦିନ ନୂଆ ଉଚ୍ଚତା ସ୍ପର୍ଶ କରୁଛି। ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ର ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୨୫ ମାସରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ସର୍ବାଧିକ ରେକର୍ଡ ସୃଷ୍ଟି ହୋଇଛି।
ଏହି ମାସରେ 20.7 ବିଲିୟନ୍ ଟ୍ରାଞ୍ଜାକ୍ସନ୍ କରାଯାଇଛି, ଯାହା ମାଧ୍ୟମରେ ମୋଟ ₹27.28 ଲକ୍ଷ କୋଟି ଟଙ୍କାର ହସ୍ତାନ୍ତର ହୋଇଛି — ଯାହା ମୂଲ୍ୟ ଓ ସଂଖ୍ୟା ଦୁହିଁ ଦୃଷ୍ଟିରୁ ଏକ ଇତିହାସିକ ରେକର୍ଡ।
ଦଶହରା ଓ ଦୀପାବଳି ଭଳି ପାର୍ବଣ ସମୟରେ ଗୋଟିଏ ଦିନରେ 750 ମିଲିୟନ୍ (ପ୍ରାୟ 75 କୋଟି) ଟ୍ରାଞ୍ଜାକ୍ସନ୍ ହୋଇଥିଲା, ଯାହା ସର୍ବାଧିକ ଦୈନିକ ରେକର୍ଡ ଭାବେ ଗଣାଯାଉଛି।
ଅକ୍ଟୋବର ମାସରେ ପ୍ରତିଦିନ ହାରାହାରି 66.8 କୋଟି ଟ୍ରାଞ୍ଜାକ୍ସନ୍ ହୋଇଥିଲା ଏବଂ ଏହାର ଦୈନିକ ମୂଲ୍ୟ ₹87,993 କୋଟି ରେ ପହଞ୍ଚିଥିଲା। ସେପ୍ଟେମ୍ବର ୨୦୨୫ ସହିତ ତୁଳନା କଲେ କାରବାର ମୂଲ୍ୟରେ 9.5% ବୃଦ୍ଧି ହୋଇଛି ଏବଂ ଅକ୍ଟୋବର ୨୦୨୪ ତୁଳନାରେ ଏହା 16% ଅଧିକ।
ବିଶେଷଜ୍ଞମାନଙ୍କ ମତରେ, ଏହି ଆକଂକା UPI ର ଭରସା, ସହଜ ସେବା ଏବଂ ଭାରତର ଡିଜିଟାଲ୍ ଭିତ୍ତିଭୂମିର ମଜବୁତିକୁ ଦର୍ଶାଉଛି। ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଏବେ ଲୋକମାନେ ଡିଜିଟାଲ୍ ପେମେଣ୍ଟକୁ ଆପଣାଇ ସାରିଛନ୍ତି।
ବର୍ତ୍ତମାନ, UPI 7ଟି ଦେଶ — ଯେପରିକି UAE, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଓ ମରିସସ୍ — ରେ କାର୍ଯ୍ୟରତ। ବିଶେଷକରି ଫ୍ରାନ୍ସରେ UPI ର ଶୁଭାରମ୍ଭ ଯୁରୋପରେ ଭାରତୀୟ ପେମେଣ୍ଟ ଟେକ୍ନୋଲୋଜିର ଏକ ବଡ଼ ସଫଳତା ବୋଲି ମାନାଯାଉଛି।





