ନୂଆଦିଲ୍ଲୀ, ୩ ନଭେମ୍ବର: ପାକିସ୍ତାନର ସୁପ୍ରିମକୋର୍ଟ ଭିତରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ୧୨ ଜଣ ଆହତ ହୋଇଛନ୍ତି। ପ୍ରଥମେ ଅନୁମାନ ହୋଇଥିଲା ଯେ, ବେସମେଣ୍ଟ ଅଞ୍ଚଳରେ ଥିବା କ୍ୟାଣ୍ଟିନରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ଏହି ବିସ୍ଫୋରଣ ଘଟିଛି। କିନ୍ତୁ ପରେ ସ୍ଥାନୀୟ ମାଧ୍ୟମ ରିପୋର୍ଟ କଲା ଯେ, ଏସି ସିଷ୍ଟମର ମରାମତି ସମୟରେ ବିସ୍ଫୋରଣ ଘଟିଥିଲା।
ସମା ଟିଭି (Samaa TV) ଅନୁସାରେ, ସେଣ୍ଟ୍ରାଲ ଏୟାର କଣ୍ଡିସନିଂ ସିଷ୍ଟମରେ ମରାମତି କାର୍ଯ୍ୟ ଚାଲିଥିବାବେଳେ ହଠାତ୍ ଏହି ବିସ୍ଫୋରଣ ଘଟିଥିଲା। ଘଟଣା ସମୟରେ ସୁପ୍ରିମକୋର୍ଟ ଭିତରେ ହଜାରେ ଲୋକ ଉପସ୍ଥିତ ଥିଲେ, ଯାହା ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା। ବିସ୍ଫୋରଣର ତୀବ୍ର କମ୍ପନ ଯୋଗୁଁ ସମଗ୍ର କୋଠା ଥରି ଉଠିଥିଲା।
ସେତେବେଳେ ଜଷ୍ଟିସ୍ ଅଲି ବାକର ନଜଫି ଏବଂ ଜଷ୍ଟିସ୍ ଶାହଜାଦ ମାଲିକ କୋର୍ଟ ନମ୍ବର ୬ରେ ଏକ ମାମଲାର ଶୁଣାଣି କରୁଥିଲେ। ବିସ୍ଫୋରଣରେ ସେହି କୋର୍ଟ କକ୍ଷ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।
ଆହତ ମାନଙ୍କ ମଧ୍ୟରୁ ଅଧିକାଂଶ ଏସି ପ୍ଲାଣ୍ଟ ନିକଟରେ ମରାମତି କାର୍ଯ୍ୟରେ ନିୟୋଜିତ ଶ୍ରମିକ ଥିଲେ। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି, ଯେଉଁଠି ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପାକିସ୍ତାନର ନ୍ୟାୟପାଳିକା ପ୍ରାଙ୍ଗଣର ସୁରକ୍ଷା ବ୍ୟବସ୍ଥା ଉପରେ ପୁନର୍ବାର ପ୍ରଶ୍ନ ଉଠାଇଛି।





