ଢାକା, ୪ ନଭେମ୍ବର: ବାଂଲାଦେଶର ଅନ୍ତରୀଣ ସରକାର ପୁଣିଥରେ ଭାରତକୁ ଚିଡ଼େଇଦେଇଛି। ସରକାରପ୍ରମୁଖ ମହମ୍ମଦ ୟୁନୁସ ଏକ ବିବାଦୀୟ ମାନଚିତ୍ର ତୁର୍କୀର ସଂସଦୀୟ ପ୍ରତିନିଧିମଣ୍ଡଳୀକୁ ଉପହାର ଦେଇଛନ୍ତି, ଯେଉଁଥିରେ ଭାରତର ଉତ୍ତର–ପୂର୍ବ ଅଞ୍ଚଳକୁ ବାଂଲାଦେଶର ଅଂଶ ଭାବରେ ଦେଖାଯାଇଛି।

ସ୍ତ୍ରୋତ ଅନୁସାରେ, ଏହି “ଆର୍ଟ ଅଫ୍ ଟ୍ରାୟମ୍ଫ” (Art of Triumph) ନାମକ କଳାକୃତିକୁ ୟୁନୁସ୍ ପୂର୍ବରୁ ପାକିସ୍ତାନୀ ସାମରିକ ଅଧିକାରୀ ଜେନେରାଲ ସାହିର ଶମଶାଦ ମିର୍ଜାଙ୍କୁ ମଧ୍ୟ ଦେଇଥିଲେ। ଏହି ଦୁଇଟି ଘଟଣା ଭାରତ ସହିତ ବାଂଲାଦେଶର ସମ୍ପର୍କରେ ନୂଆ ତନାତନି ସୃଷ୍ଟି କରିଛି।

ଜାଣିଶୁଣି ମାନଚିତ୍ର ପ୍ରକାଶ?

ବିଶେଷଜ୍ଞମାନେ କହୁଛନ୍ତି, ବାଂଲାଦେଶ ସରକାର ଏହି ମାନଚିତ୍ର ଜାଣିଶୁଣି ପ୍ରକାଶ କରିଛି। ଏହା କଳାକୃତି ଭଳି ନୁହେଁ, ବରଂ ଇସଲାମିକ ଦେଶଗୁଡ଼ିକୁ ଏକ ସନ୍ଦେଶ ପ୍ରେରଣର ଚେଷ୍ଟା। ତୁର୍କୀକୁ ଯେଉଁ ଦସ୍ତାବେଜ ଦିଆଯାଇଛି, ସେଥିରେ ଭାରତ ସହିତ ଯୁଦ୍ଧ ସମ୍ଭାବନା ଏବଂ ତାହାର ପରବର୍ତ୍ତୀ ପରିସ୍ଥିତି ସମ୍ପର୍କିତ ଯୋଜନା ମଧ୍ୟ ଥିବା ଜଣାପଡ଼ିଛି।

ତୁର୍କୀର ରଣନୀତିକ ରୁଚି

ତୁର୍କୀ ଦକ୍ଷିଣ ଏସିଆ ଏବଂ ଦକ୍ଷିଣ–ପୂର୍ବ ଏସିଆରେ ନିଜ ପ୍ରଭାବ ବଢ଼ାଇବା ପାଇଁ ଦୃଢ଼ ପଦକ୍ଷେପ ନେଉଛି। ସାମରିକ ସହଯୋଗ, ଡ୍ରୋନ୍ ପ୍ରଯୁକ୍ତି ଏବଂ ପ୍ରତିରକ୍ଷା ଶିଳ୍ପ ମାଧ୍ୟମରେ ସେ ବିଭିନ୍ନ ଦେଶସହ ସମ୍ପର୍କ ମଜବୁତ କରୁଛି। ବାଂଲାଦେଶ ସହିତ ତୁର୍କୀର ଏହି ନୂଆ ସଂଯୋଗ ଭାରତ ପାଇଁ ଏକ ରାଜନୈତିକ ସତର୍କ ସଙ୍କେତ ଭାବେ ଦେଖାଯାଉଛି।

ଭାରତର ପ୍ରତିକ୍ରିୟା ଅପେକ୍ଷିତ

ଏହି ବିବାଦୀୟ ମାନଚିତ୍ର ଘଟଣା ଉପରେ ଏପର୍ଯ୍ୟନ୍ତ ଭାରତ ସରକାର ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନି। କିନ୍ତୁ ବୈଦେଶିକ ମହଳ ମାନିଛି ଯେ, ଏହି ପଦକ୍ଷେପ ଅଞ୍ଚଳୀୟ ସମ୍ପର୍କକୁ ଅସ୍ଥିର କରିପାରେ।