ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ଆର୍ଥିକ ଠକେଇ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ଅନେକ ସମୟରେ ଠକମାନେ ଆପଣଙ୍କ ପ୍ୟାନ କାର୍ଡ ତଥ୍ୟ ଅପବ୍ୟବହାର କରି ଆପଣଙ୍କ ନାମରେ ଲୋନ ନେଇଥାନ୍ତି। ଯେହେତୁ ପ୍ୟାନ ନମ୍ବର ହେଉଛି ଆପଣଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିଚୟ, ତେଣୁ ଏହା ସହିତ ଜଡିତ ଠକେଇ ଆପଣଙ୍କୁ ଗମ୍ଭୀର ସମସ୍ୟାରେ ପକେଇପାରେ। ଏହି କାରଣରୁ ପ୍ୟାନ କାର୍ଡ ସହିତ ସମ୍ଭାବ୍ୟ ଠକେଇ କାରବାର ଯାଞ୍ଚ କରିବା ଅତ୍ୟାବଶ୍ୟକ।

କିପରି ଜାଣିବେ ଆପଣଙ୍କ ପ୍ୟାନ କାର୍ଡରେ ଲୋନ ଚାଲିଛି କି ନାହିଁ?

ଏହା ଜାଣିବାର ସବୁଠାରୁ ସହଜ ଉପାୟ ହେଉଛି ଆପଣଙ୍କ କ୍ରେଡିଟ୍ ରିପୋର୍ଟ (CIBIL) ଯାଞ୍ଚ କରିବା। CIBIL, Experian ଏବଂ Equifax ପରି କ୍ରେଡିଟ୍ ବ୍ୟୁରୋ ଆପଣଙ୍କ ନାମରେ ନିଆଯାଇଥିବା ସମସ୍ତ ଋଣ ଏବଂ କ୍ରେଡିଟ୍ କାର୍ଡ ରେକର୍ଡ ରଖନ୍ତି।

ଆପଣ ଏହି ସମସ୍ତ ବ୍ୟୁରୋର ସରକାରୀ ୱେବସାଇଟ୍ ଭିଜିଟ୍ କରି ପ୍ୟାନ ନମ୍ବର ଓ ମୋବାଇଲ୍ ନମ୍ବର ଦେଇ ମାଗଣା କ୍ରେଡିଟ୍ ରିପୋର୍ଟ ଡାଉନଲୋଡ୍ କରିପାରିବେ।

ଏହି ରିପୋର୍ଟ ମାଧ୍ୟମରେ ଆପଣ ଜାଣିପାରିବେ ଯେ ଆପଣଙ୍କ ନାମରେ କେଉଁ ଲୋନ ଅଛି, କେଉଁ ବ୍ୟାଙ୍କ ତଥ୍ୟ ତଦନ୍ତ କରିଛି ଏବଂ କେଉଁ ଆକାଉଣ୍ଟ ସକ୍ରିୟ ଅଛି।

ରିପୋର୍ଟ ଯାଞ୍ଚ ସମୟରେ କ’ଣ ଧ୍ୟାନ ଦେବେ?

ଯଦି ଆପଣ ଏମିତି କୌଣସି ଲୋନ କିମ୍ବା କ୍ରେଡିଟ୍ କାର୍ଡ ଦେଖନ୍ତି ଯାହା ପାଇଁ ଆପଣ କେବେ ଆବେଦନ କରିନାହାଁନ୍ତି, ତେବେ ଏହା ଠକେଇର ସଂକେତ। ଏଥିକାରଣରେ ଭୁଲ ଆକାଉଣ୍ଟ ନମ୍ବର, ଅଜଣା ବ୍ୟାଙ୍କ ନାମ କିମ୍ବା ଅସାଧାରଣ କ୍ରେଡିଟ୍ ଇନକ୍ଵାୟାରି ମିଳିଲେ ସତର୍କ ହୁଅନ୍ତୁ। ଏହା ଆପଣଙ୍କ କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରିପାରେ।

ଠକେଇ ଜାଣିଲେ କ’ଣ କରିବେ?

  1. ଯେ ବ୍ୟାଙ୍କ କିମ୍ବା ସଂସ୍ଥା ନାମରେ ଲୋନ ଦେଖାଯାଉଛି, ସେମାନଙ୍କ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ।
  2. କ୍ରେଡିଟ୍ ବ୍ୟୁରୋକୁ ଅନଲାଇନ୍ ଅଭିଯୋଗ କରନ୍ତୁ ଏବଂ ପରିଚୟ ପ୍ରମାଣ ସହିତ ଆଫିଡେଭିଟ୍ ଦାଖଲ କରନ୍ତୁ।
  3. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ — ନିକଟସ୍ଥ ସାଇବର କ୍ରାଇମ୍ ସେଲ୍ କୁ ଯାଇ ଏକ ଏଫଆଇଆର ଦାଖଲ କରନ୍ତୁ।

ପ୍ୟାନ କାର୍ଡ ସୁରକ୍ଷା ପାଇଁ ଟିପ୍ସ:

  • କୌଣସି ଅଜଣା ୱେବସାଇଟ୍, ଆପ୍ କିମ୍ବା ମେସେଜରେ ପ୍ୟାନ ନମ୍ବର ସେୟାର କରନ୍ତୁ ନାହିଁ।
  • ଯଦି କେଉଁଠି ପ୍ୟାନ ଫଟୋକପି ଦେଉଛନ୍ତି, ସେଥିରେ ଦସ୍ତଖତ କରି ଉଦ୍ଦେଶ୍ୟ ଲେଖନ୍ତୁ।
  • ବ୍ୟାଙ୍କ ଆକାଉଣ୍ଟ ପାଇଁ ସୁରକ୍ଷିତ ପାସୱାର୍ଡ ବ୍ୟବହାର କରନ୍ତୁ ଏବଂ SMS/ଇମେଲ୍ ଆଲର୍ଟ ଚାଲୁ ରଖନ୍ତୁ।

ଏହି ସତର୍କତାମୂଳକ ପଦକ୍ଷେପ ନିଲେ, ଆପଣ ଆପଣଙ୍କ ପ୍ୟାନ କାର୍ଡ ସହିତ ଜଡିତ ଠକେଇ ଜାଳରୁ ସୁରକ୍ଷିତ ରହିପାରିବେ।