ଦାରିଙ୍ଗବାଡି, ୫ ନଭେମ୍ବର : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଥାନା ଅଧୀନ କାଡଶପାଟା ଗ୍ରାମ ନିକଟର ଜଙ୍ଗଲ ଅଞ୍ଚଳରେ ବୁଧବାର ଦିନ ପୋଲିସ ଦ୍ୱାରା ବିଶାଳ ଚଢ଼ାଉ ଅଭିଯାନ ଚାଲିଥିଲା। ଗୋପନ ସୂଚନା ମିଳିବା ପରେ ଡିଏସପି କନକ ମାଝୀଙ୍କ ନେତୃତ୍ୱରେ ଆଇଆଇସି ଜୟନ୍ତ କୁମାର ସେଠି, ଅବକାରୀ ବିଭାଗର କର୍ମଚାରୀ ଓ ଏକ୍ଜିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟ ଦୁଃଶାସନ ସ୍ୱାଇଁଙ୍କ ଉପସ୍ଥିତିରେ ସାଲେଜୁ ଓ କାଡଶପାଟା ଅଞ୍ଚଳରେ ପ୍ରାୟ ୪୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ଉଚ୍ଛେଦ କରାଯାଇଛି।

ଅଭିଯାନ ସମୟରେ ପୋଲିସ ଗଞ୍ଜେଇ ଗଛଗୁଡ଼ିକୁ କାଟି ନିଆଁ ଲଗାଇ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଥିଲେ। ଉକ୍ତ ଗଛଗୁଡ଼ିକର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଅପରେସନ ସମୟରେ ସଶସ୍ତ୍ର ପୋଲିସ ବାହିନୀ ଦ୍ୱାରା ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଥିଲା।

ଡିଏସପି କନକ ମାଝୀ କହିଛନ୍ତି, ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଞ୍ଜେଇ ଚାଷ ହୋଇଥାଇପାରେ ବୋଲି ସନ୍ଦେହ ରହିଛି। ଏହିକାରଣରୁ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି। ପୋଲିସ ଏହି ଅଭିଯାନକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ବର୍ଣ୍ଣନା କରିଛି।