ନୂଆପଡ଼ା, ୧୧।୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରମ୍ଭ ଥିରୁ ଭୋଟିଂ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି ବୋଲି ସୂଚନା ମିଳିଛି। ସକାଳ ୯ଟା ପର୍ଯ୍ୟନ୍ତ ମୋଟ୍‌ ୧୪.୯୯% ମତଦାନ ହୋଇଥିବା ନିର୍ବାଚନ ଅଧିକାରୀମାନେ ଜଣାଇଛନ୍ତି।

ସକାଳୁ ଭୋଟ୍‌ କେନ୍ଦ୍ରଗୁଡ଼ିକରେ ମତଦାତାମାନଙ୍କ ଗହଳି ଦେଖିବାକୁ ମିଳିଛି। ଏଥିରେ ରାଜ୍ୟର ମୁଖ୍ୟ ତିନୋଟି ଦଳ — ବିଜେଡି, ଭାଜପା ଓ କଂଗ୍ରେସ ସହିତ ମୋଟ୍‌ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେଉଛି।

ନୂଆପଡ଼ା ନିର୍ବାଚନମଣ୍ଡଳୀ ଦୁଇଟି ଏନ୍‌ଏସି ଓ ଦୁଇଟି ବ୍ଲକକୁ ନେଇ ଗଠିତ ହୋଇଛି, ଯେଉଁଠାରେ ମୋଟ୍‌ ୨,୫୪,୪୯୭ ଜଣ ଭୋଟର ମତ ସାବ୍ୟସ୍ତ କରିବେ। ସମଗ୍ର ନିର୍ବାଚନମଣ୍ଡଳୀରେ ୩୫୮ଟି ବୁଥ୍‌ ରହିଛି, ଯେଉଁମାନଙ୍କ ମଧ୍ୟରୁ ୧୦୧ଟିକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି।

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବିଶେଷ ବ୍ୟବସ୍ଥା:

୧୦୧ ସମ୍ବେଦନଶୀଳ ବୁଥ୍‌ମାନଙ୍କ ମଧ୍ୟରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳ ଏବଂ ୫୪ଟି ଆଇନଶୃଙ୍ଖଳା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚିହ୍ନଟ ହୋଇଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବା ବେଳେ, ଅନ୍ୟ ବୁଥ୍‌ରେ ଭୋଟିଂ ସମୟ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରହିବ।

ସମ୍ବେଦନଶୀଳ ପାହାଡିଆ ଅଞ୍ଚଳରେ ଅବସ୍ଥିତ ୮ଟି ବୁଥ୍‌ — ୩୨୦ ସୋସେଙ୍ଗ, ୩୨୧ ସୋସେଙ୍ଗ(୨), ୩୨୨ ଦେଓସିଲ, ୩୨୪ ସୁନାବେଡ଼ା(୧), ୩୨୫ ସୁନାବେଡ଼ା(୧କ), ୩୨୬ ଜାମଗାଁ, ୩୨୭ ଗୋତିବେଡ଼ା ଓ ୩୨୮ ଗୋତିବେଡ଼ା(୨)ରେ ଭୋଟିଂ ସୁନିଶ୍ଚିତ କରିବା ପାଇଁ ଭାରତୀୟ ବାୟୁସେନାର ହେଲିକପ୍ଟର ବ୍ୟବହାର କରାଯାଇଛି।

ଏହି ୮ ବୁଥ୍‌ ପାଇଁ ମୋଟ୍‌ ୪୮ ଜଣ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଶକ୍ତ କରାଯାଇଛି।