ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ସାଧାରଣ ବୁଥଗୁଡ଼ିକରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଛି। ମୋଟ ୭୮.୪୮ ଶତଂଶ ମତଦାନ ହେବାରୁ ଉତ୍ସାହଜନକ ପ୍ରତିକ୍ରିୟା ଦେଖାଯାଇଛି।
ଏହି ମତଦାନ ପରେ ମୋଟ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ମେସିନରେ ସିଲ୍ ହୋଇଛି। ଭାଜପା, ବିଜେଡି ଏବଂ କଂଗ୍ରେସ ସହିତ ମୋଟ ୧୪ ପ୍ରାର୍ଥୀ ମଇଦାନରେ ଥିଲେ। ଏହି ଉପନିର୍ବାଚନର ଫଳାଫଳ ଆସନ୍ତା ୧୪ ତାରିଖରେ ଘୋଷଣା ହେବ।
ଅନ୍ୟପକ୍ଷରେ, ମତଦାନ ଶେଷ ହେବା ପରେ ସୁନାବେଡ଼ାରୁ ପୋଲିଂ ଟିମ୍ ଫେରିଛନ୍ତି। ମାଓବାଦୀ ପ୍ରଭାବିତ ଏବଂ ସମ୍ବେଦନଶୀଳ ୮ଟି ବୁଥରେ ଭୋଟ ଗ୍ରହଣ ଶେଷ ପରେ ବାୟୁସେନାର ବିଶେଷ ବିମାନ ମାଧ୍ୟମରେ ସେମାନଙ୍କୁ ଗୋତମା ଏୟାରଷ୍ଟ୍ରିପ୍କୁ ନିଆଯାଇଛି।
ଏହି ବୁଥଗୁଡ଼ିକ ମଧ୍ୟରେ ସୋସେଙ୍ଗ, ଦେଓସିଲ, ସୁନାବେଡ଼ା, ଜାମଗାଁ ଓ ଗୋତିବେଡ଼ା ଅଞ୍ଚଳ ରହିଛି, ଯାହାକୁ ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଥିଲା। ମୋଟ ୪୮ ଜଣ ପୋଲିଂ କର୍ମଚାରୀଙ୍କୁ ବିମାନ ଯୋଗେ ସୁରକ୍ଷିତ ଭାବରେ ପଠାଯାଇଥିଲା ଏବଂ ଫେରାଯାଇଛି।
ନିର୍ବାଚନ ଅଧିକାରୀମାନେ କହିଛନ୍ତି ଯେ ଅତ୍ୟନ୍ତ ସଂବେଦନଶୀଳ ପରିସ୍ଥିତି ସତ୍ତେ ମଧ୍ୟ ସମଗ୍ର ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବରେ ହୋଇଛି।





