ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଭୟାବହ ବିସ୍ଫୋରଣ ଘଟଣାରେ ଏବେ ଓଡ଼ିଶା ସଂଯୋଗ ସାମ୍ନାକୁ ଆସିଛି। ଜେରା ବେଳେ ଆତଙ୍କୀ ମୁଜାମିଲ ସକିଲଙ୍କ ଓଡ଼ିଶା ସହ ଯୋଗାଯୋଗ ଥିବା ସୂଚନା ମିଳିଛି। ତଦନ୍ତ ଅଧିକାରୀମାନଙ୍କ ଅନୁସାରେ, ମୁଜାମିଲଙ୍କ ହ୍ୱାଟ୍ସଆପ୍‌ ଚାଟ୍‌ରୁ ଓଡ଼ିଶାର କିଛି ନମ୍ବର ଓ ଯୋଗାଯୋଗ ତଥ୍ୟ ମିଳିଛି, ଯାହାକୁ ନେଇ ଏବେ ଗଭୀର ତଦନ୍ତ ଚାଲିଛି।

ଏହି ଘଟଣାରେ ଜମ୍ମୁ, ହରିୟାଣା ଏବଂ ତାମିଲନାଡୁ ସହିତ ମଧ୍ୟ ଆତଙ୍କୀ ଯୋଗ ଥିବା ସୂଚନା ମିଳିଛି। ତଦନ୍ତ ସଂସ୍ଥାମାନେ ଏହି ସମସ୍ତ ରାଜ୍ୟରେ ନେଟୱର୍କ ଖୋଜି ଚାଲିଛନ୍ତି।

ଏହାସହିତ ଏକ ନୂତନ ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଲାଲକିଲ୍ଲା ମେଟ୍ରୋ ନିକଟରେ ସନ୍ଧ୍ୟା ସମୟରେ ଭିଡ଼ ଟ୍ରାଫିକ୍‌ ମଧ୍ୟରେ ହଠାତ୍ ଭୟାଙ୍କର ବିସ୍ଫୋରଣ ଘଟୁଥିବା ଦେଖିବାକୁ ମିଳିଛି। ମାତ୍ର ୧୫ ସେକେଣ୍ଡର ଏହି ଭିଡିଓରେ ଧଳା ହ୍ୟୁଣ୍ଡାଇ କାର ଏକଟି ବିସ୍ଫୋରଣ ସହିତ ଉଡ଼ିଯାଉଥିବା ଦେଖାଯାଇଛି।

ଏହି ବିସ୍ଫୋରଣ ଫରିଦାବାଦରେ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ ହେବା ପରେ ହୋଇଥିଲା। ତଦନ୍ତରେ ଆତଙ୍କୀ ଉମରଙ୍କ ଦିଲ୍ଲୀର ବିଭିନ୍ନ ଅଞ୍ଚଳ—କନୌଟ ପ୍ଲେସ୍ ଓ ମୟୁର ବିହାରରେ ଘୁରୁଥିବା ଭିଡିଓ ମିଳିଛି।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସିସିଏସ ବୈଠକ ଡାକାଯାଇଛି। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ଏନଏସଏ ଅଜିତ ଡୋଭାଲ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନରୁ ଫେରିବା ପରେ ସିଧାସଳଖ ଏଲଏନଜେପି ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଥିଲେ।