ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୋମବାର ଘଟିଥିବା ବିସ୍ଫୋରଣରେ ଅନେକ ଜଣ ମୃତ୍ୟୁବରଣ କରିଥିବା ସହ ଅନେକ ଆହତ ହୋଇଛନ୍ତି। ଘଟଣା ପରେ ଭୁଟାନ ଗସ୍ତ ଶେଷ କରି ଦେଶକୁ ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ଏଲଏନଜିପି ହସ୍ପିଟାଲ ଯାଇ ବିସ୍ଫୋରଣରେ ଆହତ ହୋଇଥିବା ପୀଡ଼ିତଙ୍କୁ ଭେଟିଛନ୍ତି।

ସେ ଆହତମାନଙ୍କ ସହିତ କଥା ହେବା ସହ ସେମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ଆଶୀର୍ବାଦ ଜଣାଇଛନ୍ତି। ହସ୍ପିଟାଲ ଯାତ୍ରା ପରେ ମୋଦୀ ଘଟଣା ପରବର୍ତ୍ତୀ ପରିସ୍ଥିତି ସମୀକ୍ଷା ପାଇଁ ସନ୍ଧ୍ୟା ୫.୩୦ରେ Cabinet Committee on Security (CCS) ଏବଂ କ୍ୟାବିନେଟ ବୈଠକ ଡାକିଛନ୍ତି।

ଏପରି ସମୟରେ NIA ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରଖିଛି। ସଂଗଠନ ଏହି ମାମଲା ପାଇଁ “ସ୍ପେଶାଲ ୧୦” ନାମରେ ଏକ ବିଶେଷ ଦଳ ଗଠନ କରିଛି, ଯେଉଁଥିରେ ଜଣେ IG, ଦୁଇଜଣ DIG, ତିନିଜଣ SP ଓ ଅନ୍ୟ DSP ସ୍ତରୀୟ ଅଧିକାରୀ ରହିଛନ୍ତି।

ସୂତ୍ର ଅନୁସାରେ, NIA ଏବଂ IB ମୁଖ୍ୟ ମଧ୍ୟ ଦିଲ୍ଲୀ ବିସ୍ଫୋରଣ ସମ୍ପର୍କରେ ବିଶେଷ ବୈଠକ କରିଛନ୍ତି। NIA ଦଳ ଏବେ ଜମ୍ମୁ-କାଶ୍ମୀର, ହରିୟାଣା ଓ ଦିଲ୍ଲୀ ପୁଲିସଠାରୁ “ଜୈସ୍ ମଡ୍ୟୁଲ୍” ସମ୍ପର୍କିତ ମାମଲାର ଦସ୍ତାବିଜ ହସ୍ତାନ୍ତର ନେବ।

ଏହିମଧ୍ୟରେ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ଫାସ୍ ହେବା ପରେ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ସୁରକ୍ଷା ଏଜେନ୍ସିଙ୍କ ନଜରରେ ରହିଛି। ବିଶ୍ୱବିଦ୍ୟାଳୟ ସହ ଜଡିତ ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଥିଲେ ଓ ସେମାନଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରାଯାଇଥିଲା।