ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନର ମତଗଣନା ଆସନ୍ତାକାଲି (ଶୁକ୍ରବାର) ସକାଳ ୮ଟାରୁ ଆରମ୍ଭ ହେବ। ଷ୍ଟ୍ରଙ୍ଗ ରୁମ୍‌ରେ ସୁରକ୍ଷା ରେଖା ଭିତରେ ରଖାଯାଇଥିବା ଇଭିଏମ୍‌ ଖୋଲି ମତ ଗଣତି କାର୍ଯ୍ୟ ସମ୍ପନ୍ନ କରାଯିବ। ଗଣତି ଶେଷ ହେବା ପରେ ତତ୍କ୍ଷଣାତ ଫଳାଫଳ ଘୋଷଣା ହେବ। ଏହି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି।

୮୩.୪୫% ମତଦାନ ହୋଇଛି

ଜିଲ୍ଲାପାଳ ମଧୁସୂଦନ ଦାସ ଜଣାଇଛନ୍ତି ଯେ, ଉପନିର୍ବାଚନରେ ମୋଟ ୨,୫୪,୪୮୭ ଜଣ ମତଦାତା ମଧ୍ୟରୁ ୨,୧୨,୩୮୫ ଜଣ ମତଦାନ କରିଥିଲେ। ଏଥିରେ ୧,୦୩,୮୧୭ ପୁରୁଷ ଏବଂ ୧,୦୮,୫୬୩ ମହିଳା ଥିଲେ। ଅନ୍ୟ ବର୍ଗର ମତଦାତା ୫ ଜଣ ଥିଲେ। ସମୁଦାୟ ମିଶାଇ ୮୩.୪୫% ମତଦାନ ହୋଇଥିଲା।

ଇଭିଏମ୍‌ ରହିଛି ତ୍ରିସ୍ତରୀୟ ସୁରକ୍ଷାରେ

୧୧ ତାରିଖରେ ହୋଇଥିବା ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଥିଲା। କେଉଁଠି ସାମାଜିକ ଅସନ୍ତୋଷ ବା ଅନୁଚିତ ଘଟଣା ଘଟିନଥିଲା। ଭୋଟିଂ ଶେଷ ହେବା ପରେ ସମସ୍ତ ଇଭିଏମ୍‌ ସିଲ୍ କରି ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି। ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଓ ସେଣ୍ଟ୍ରାଲ ଆର୍ମଡ୍ ପୁଲିସ ଫୋର୍ସ (CAPF) ତତ୍ତ୍ୱାବଧାନରେ ସେଗୁଡ଼ିକୁ ରକ୍ଷା କରାଯାଉଛି।

ପ୍ରଥମେ ହେବ ପୋଷ୍ଟାଲ ବାଲଟ୍ ଗଣତି

ଗଣତି ସକାଳ ୮ଟାରେ ପୋଷ୍ଟାଲ ବାଲଟ୍‌ ଗଣନାରୁ ଆରମ୍ଭ ହେବ ଓ ୮.୩୦ରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ୩୫୮ ଟି ବୁଥରେ ମୋଟ ୨୬ ରାଉଣ୍ଡରେ ମତଗଣନା ହେବ। ଏହି ପାଇଁ ୧୪ଟି ଟେବୁଲ ସଜାଯାଇଛି। ଫଳାଫଳ ଶୀଘ୍ର ଘୋଷଣା ହେବ ବୋଲି ଅଧିକାରୀମାନେ ଆଶା କରୁଛନ୍ତି।

ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଜିଲ୍ଲା ଏସପି ଅମୃତପାଲ ସିଂହ ଜଣାଇଛନ୍ତି ଯେ, ମତଗଣନା ଦିନଟି ଗୁରୁତ୍ୱପୂର୍ଣ୍ଣ ହେବାରୁ ପୁଲିସ ପକ୍ଷରୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି। CAPF, BSF, SAP ଓ ରାଜ୍ୟ ପୁଲିସ ଯୋଗେ ସମଗ୍ର ଅଞ୍ଚଳ ଘେରାଯାଇଛି। ଗଣତିସ୍ଥଳକୁ ବାହାରୁ ପ୍ରବେଶ ନିଷେଧ ହୋଇଛି ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ମଧ୍ୟ ଜାରି କରାଯାଇଛି।