ଭୁବନେଶ୍ବର/ଫୁଲବାଣୀ/ଦାରିଙ୍ଗବାଡ଼ି: ଓଡ଼ିଶାରେ ଜାଡ଼ ତୀବ୍ର ହୋଇପଡ଼ିଛି। ସଂଧ୍ୟା ହେବା ପୂର୍ବରୁ ମଧ୍ୟ ଶୀତର ପ୍ରକୋପ ଅନୁଭବ ହେଉଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତିର ତାପମାତ୍ରା ସାଧାରଣଠାରୁ ୫ରୁ ୭ ଡିଗ୍ରି ପର୍ଯ୍ୟନ୍ତ କମିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟ ପାରଦ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି।
ଶୀତ ପ୍ରଭାବରେ ସରା ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସାଧାରଣଠାରୁ ୩ ଡିଗ୍ରି କମ୍ ରହିଛି। ଏହି ହାଡ଼ଭଙ୍ଗା ଜାଡ଼ରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି କନ୍ଧମାଳ ଜିଲ୍ଲା। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ରାତି ପାରଦ ୮.୫ ଡିଗ୍ରି ସେଲସିଅସ୍ରେ ଖସିଛି। ମାତ୍ର ଛଅ ଦିନ ମଧ୍ୟରେ ଏଠାର ତାପମାତ୍ରା ୧୫ ଡିଗ୍ରିରୁ ୬.୫ ଡିଗ୍ରି ପର୍ଯ୍ୟନ୍ତ ଗୋଲାଣି ହୋଇଛି।
ଏହି ସହିତ ଘୁ. ଉଦୟଗିରିରେ ରାତି ତାପମାତ୍ରା ୮.୭ ଡିଗ୍ରି ଓ ଫୁଲବାଣୀରେ ୧୦ ଡିଗ୍ରି ରେକର୍ଡ ହୋଇଛି। ରାଇକିଆ, ବ୍ରାହ୍ମଣୀଗାଁ, ଦାସିଂବାଡ଼ି, କୋଟଗଡ଼, ସୁବର୍ଣ୍ଣଗିରି, ବେଲଘର, ତୁମୁଡ଼ିବନ୍ଧ, ବାଲିଗୁଡ଼ା, ଖମନଖୋଲ, ବାରଖମା, ବାଲନ୍ଦାପଡ଼ା ଓ ସାଡ଼ିଙ୍ଗିଆ ଅଞ୍ଚଳରେ ମଧ୍ୟ ପାରଦ ୧୦ ଡିଗ୍ରି ତଳକୁ ଖସିଛି।
ସକାଳେ ୧୦ଟା ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲା ଘନ କୁହୁଡିରେ ମୁଡ଼ି ଥିଲା। ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସକାଳେ କୁହୁଡି ଦେଖିବାକୁ ମିଳିଛି।
୧୫ ସହରରେ ତାପମାତ୍ରା ୧୫ ଡିଗ୍ରି ତଳେ
ରାଜ୍ୟର ଅନେକ ସହରରେ ପାରଦ ତଳକୁ ଖସି ଗଲାଣି। ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ତାପମାତ୍ରା ୧୦ ଡିଗ୍ରି ତଳକୁ ତାଳିଲାଣି। ରାଉରକେଲାରେ ୧୦.୫, ଝାରସୁଗୁଡ଼ାରେ ୧୦.୬, କେନ୍ଦୁଝରରେ ୧୨.୪, ସୁନ୍ଦରଗଡ଼ ଓ ଅନୁଗୁଳରେ ୧୨.୬, କୋରାପୁଟରେ ୧୩.୨, ବଲାଙ୍ଗୀରରେ ୧୩.୩, ଭବାନୀପାଟଣା ଓ ଢେଙ୍କାନାଳରେ ୧୩.୫, ସୁବର୍ଣ୍ଣପୁରରେ ୧୪.୧, ସମ୍ବଲପୁରରେ ୧୪.୨, ଯାଜପୁରରେ ୧୪.୬ ଓ ହୀରାକୁଦରେ ୧୪.୮ ଡିଗ୍ରି ରେକର୍ଡ ହୋଇଛି।
ଦ୍ୱେତନଗରୀ କଟକ ଓ ଭୁବନେଶ୍ବରରେ ମଧ୍ୟ ରାତି ପାରଦ ୧୫ ଡିଗ୍ରି ଆସପାସରେ ରହିଛି। କଟକରେ ୧୫.୨ ଓ ଭୁବନେଶ୍ବରରେ ୧୫.୫ ଡିଗ୍ରି ରେକର୍ଡ ହୋଇଛି।
ସାରା ରାଜ୍ୟର ରାତି ତାପମାତ୍ରା ୨୦ ଡିଗ୍ରି ତଳେ ରହିଥିବାରୁ ଶୀତଲହରି ପ୍ରବଳ ହୋଇଛି। ଆଗାମୀ ୪ ଦିନ ରାଜ୍ୟରେ ଏହି ଶୀତ ପ୍ରଭାବ ଜାରି ରହିବ ବୋଲି ଆବହା ବିଭାଗ ପୂର୍ବାନୁମାନ କରିଛି। ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।





