ନୂଆଦିଲ୍ଲୀ, ୧୩ ନଭେମ୍ବର: ଜାତୀୟ ରାଜଧାନୀ ଦିଲ୍ଲୀର ଏକ ସୁରକ୍ଷିତ ଅଞ୍ଚଳରେ ଘଟିଥିବା ବିସ୍ଫୋରଣ ଦେଶକୁ ଦୋହଲାଇ ଦେଇଛି। ଏହି ଆତଙ୍କୀ ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ବିସ୍ଫୋରଣ ଐତିହାସିକ ଲାଲକିଲ୍ଲା ନିକଟରେ ଘଟିଥିବାରୁ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ଅଲର୍ଟ ସୃଷ୍ଟି ହୋଇଛି।

ପୋଷ୍ଟରରୁ ମିଳିଲା ଷଡ଼ଯନ୍ତ୍ରର ସୁତ୍ର

ଏହି ମାମଲାର ତଦନ୍ତ ଦିଗକୁ ନେଇଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ଡ଼ଃ ଜି.ଭି. ସନ୍ଦୀପ ଚକ୍ରବର୍ତ୍ତୀ ଏବେ ଦେଶଜୁଡ଼ା ଚର୍ଚ୍ଚାରେ ଅଛନ୍ତି। ଶ୍ରୀନଗରର ବର୍ତ୍ତମାନ ସେ ଏସ୍‌ଏସ୍‌ପି (Senior Superintendent of Police) ଭାବେ କାର୍ଯ୍ୟରତ।

ଗତ ଅକ୍ଟୋବର ମାସରେ ଶ୍ରୀନଗରରେ ଜୈଶ-ଇ-ମହମ୍ମଦ ସମର୍ଥନରେ କିଛି ପୋଷ୍ଟର ଲାଗିଥିଲା। ସାଧାରଣ ଘଟଣା ଭାବରେ ଦେଖିଲେ ମଧ୍ୟ, ଡ଼ଃ ସନ୍ଦୀପ ଏହାକୁ ଗୁରୁତ୍ୱର ସହିତ ନେଇଥିଲେ। ସିସିଟିଭି ଫୁଟେଜ୍ ଯାଞ୍ଚ କରି ସେ ପୋଷ୍ଟର ଲଗାଇଥିବା ତିନି ଯୁବକଙ୍କୁ ଠିକଣା କରିଥିଲେ।

ଆନ୍ତଃରାଜ୍ୟ ଆତଙ୍କୀ ମଡ୍ୟୁଲ୍ ପର୍ଦ୍ଦାଫାସ୍

ସେମାନଙ୍କ ଉପରେ ନଜର ରଖାଯିବାରୁ ଅନେକ ସଂଦିଗ୍ଧ ଗତିବିଧି ପ୍ରକାଶ ପାଇଥିଲା। ଏହି ସୂତ୍ର ଆଧାରରେ ଜମ୍ମୁ-କାଶ୍ମୀର, ହରିୟାଣା ଏବଂ ଉତ୍ତରପ୍ରଦେଶରେ ସୁରକ୍ଷା ବାହିନୀ ଚଢାଉ କରି ଏକ ବଡ଼ ଆତଙ୍କୀ ମଡ୍ୟୁଲକୁ ଧ୍ୱଂସ କରିଥିଲା। ଏହି ଅଭିଯାନରେ ପ୍ରାୟ ୩,୦୦୦ କିଲୋଗ୍ରାମ ବିସ୍ଫୋରକ ଜବତ ହୋଇଥିଲା ଏବଂ “ଡାକ୍ତର ଆତଙ୍କୀ ମଡ୍ୟୁଲ୍” ନାମରେ ପରିଚିତ ଏକ ଗୋଷ୍ଠୀର ଅନେକ ସଦସ୍ୟଙ୍କୁ ଗିରଫ କରାଯାଇଥିଲା।

ଏଜିଏମୟୁଟି କ୍ୟାଡରର ଯୁବ ଅଧିକାରୀ ସନ୍ଦୀପଙ୍କ ସାହସିକ ନେତୃତ୍ୱ

ହାଇଦ୍ରାବାଦର ବାସିନ୍ଦା ଡ଼ଃ ସନ୍ଦୀପ ଚକ୍ରବର୍ତ୍ତୀ AGMUT (Arunachal-Goa-Mizoram-Union Territory) କ୍ୟାଡରର ଆଇପିଏସ୍ ଅଧିକାରୀ। ସେ ବର୍ତ୍ତମାନ ଜମ୍ମୁ-କାଶ୍ମୀର କ୍ଷେତ୍ରରେ ନିଯୁକ୍ତ ଥିବାବେଳେ ଏହି ମାମଲାର ତଦନ୍ତରେ ତାଙ୍କ ତୀକ୍ଷ୍ଣ ସଜାଗତା ଓ ବିଶେଷ ନେତୃତ୍ୱ ଦେଶକୁ ଏକ ବଡ଼ ଆକ୍ରମଣରୁ ବଞ୍ଚାଇଛି।

ଦେଶଜୁଡ଼ା ସନ୍ଦୀପଙ୍କ ପ୍ରଶଂସା

ସୁରକ୍ଷା ଏଜେନ୍ସି, ସରକାରୀ ଅଧିକାରୀ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଡ଼ଃ ସନ୍ଦୀପଙ୍କ ଚତୁରାଇ, ସତର୍କତା ଓ ସାହସ ପାଇଁ ବ୍ୟାପକ ପ୍ରଶଂସା ହେଉଛି। ସାଧାରଣ ଏକ ପୋଷ୍ଟରରୁ ଆରମ୍ଭ ହୋଇଥିବା ସନ୍ଦେହ ଦେଶବିରୋଧୀ ଷଡ଼ଯନ୍ତ୍ରକୁ ନିଷ୍ପ୍ରଭ କରିବା ପର୍ଯ୍ୟନ୍ତ ପହଞ୍ଚିଥିଲା — ଯାହା ଆଇପିଏସ୍ ଅଧିକାରୀଙ୍କ ବୁଦ୍ଧିମତା ଓ କର୍ତ୍ତବ୍ୟନିଷ୍ଠାର ଉଦାହରଣ ହୋଇଛି।