ନୂଆଦିଲ୍ଲୀ: ବାଂଲାଦେଶ ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମାନବତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ କରି ଫାଶୀଦଣ୍ଡ ଘୋଷଣା କରିଛି। କୋର୍ଟର ଅଭିଯୋଗ ଅନୁଯାୟୀ, ହସିନା ନିରସ୍ତ୍ର ପ୍ରତିବାଦକାରୀଙ୍କୁ ଦମନ କରିବା ପାଇଁ ଗୁଳି ଚଳାଇବା, ମାରାତ୍ମକ ଅସ୍ତ୍ର ଓ ଡ୍ରୋନ୍ ବ୍ୟବହାର କରିବାକୁ ଆଦେଶ ଦେଇଥିଲେ। ଏହାକୁ କୋର୍ଟ ଗୁରୁତର ଅପରାଧ ବୋଲି ମନେ କରିଏ।
ପ୍ରତିବାଦ ଦମନ ପାଇଁ ହସିନାଙ୍କ ନିର୍ଦ୍ଦେଶ
ଶୁଣାଣି ସମୟରେ ICT କୋର୍ଟ କହିଛି ଯେ, ଜୁଲାଇ ୧୯ ପରେ ଗୃହମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ସୁରକ୍ଷା ବୈଠକରେ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା।
ହସିନା ଏକ ବିଶେଷ କୋର କମିଟିକୁ ପ୍ରତିବାଦକାରୀଙ୍କୁ ‘ଟାର୍ଗେଟ’ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ପରେ ନିରସ୍ତ୍ର ନାଗରିକଙ୍କ ଉପରେ ଆକ୍ରମଣ ହୋଇଥିଲା।
ଫୋନ୍ କଲ୍ରେ ହସିନାଙ୍କ କଥା ପ୍ରମାଣ ହେଲା
ICTର ମୁଖ୍ୟ ବିଚାରପତି କହିଛନ୍ତି ଯେ, ଢାକା ବିଶ୍ୱବିଦ୍ୟାଳୟର ଭାଇସ୍-ଚାନ୍ସେଲରଙ୍କ ସହ ଥିବା ଫୋନ୍ କଥୋପକଥନରେ ହସିନା ଛାତ୍ରମାନଙ୍କୁ ଦମନ କରିବାକୁ ହିଂସାତ୍ମକ ଅଭିଯାନ ଚାଳାଇବାର ନିର୍ଦ୍ଦେଶ ଦେଇଥିଲେ। ସେଠାରେ ଛାତ୍ରମାନଙ୍କୁ ଅପମାନିତ କରିବା ମଧ୍ୟ ପ୍ରତିବାଦକୁ ଆହୁରି ତୀବ୍ର କରିଥିଲା।
୫୪ ଜଣ ସାକ୍ଷୀ, ବିଶାଳ ପ୍ରମାଣ ସଂଗ୍ରହ
ରାୟ ପୂର୍ବରୁ ICT ୫୪ ଜଣ ସାକ୍ଷୀଙ୍କ ବୟାନ ଶୁଣିଥିଲା। ସମଗ୍ର ଦେଶରୁ ସଂଗୃହୀତ ଭିଡିଓ, ଡକ୍ୟୁମେଣ୍ଟ, ଫୋଟୋ, ପ୍ରମାଣ ଓ ଅନ୍ୟାନ୍ୟ ଉତ୍ସରୁ ମିଳିଥିବା ତଥ୍ୟ ଯାଞ୍ଚ କରିବା ପରେ କୋର୍ଟ ହସିନାଙ୍କୁ ଦୋଷୀ ମନେ କରିଛି।





