ନୂଆଦିଲ୍ଲୀ, ୨୦ ନଭେମ୍ବର: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଆସନ୍ତା ୨୩ ନଭେମ୍ବରରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦମ୍ପତି ଏବଂ ଉଭୟ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଛନ୍ତି।

ପିଏମଓ ପକ୍ଷରୁ ପ୍ରସ୍ତୁତ ଏକ ସରକାରୀ ଚିଠିରେ ଲେଖାଯାଇଛି ଯେ, “୨୦୨୫ ନଭେମ୍ବର ୨୩ ତାରିଖରେ ସ୍ମୃତି ଓ ପଲାଶଙ୍କ ବିବାହ ହେବା ବିଷୟ ଜାଣି ଆମେ ଆନନ୍ଦିତ। ଏହି ଆନନ୍ଦମୟ ଅବସରରେ ମାନ୍ଧାନା ଓ ମୁଛଲ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା।”

ଚିଠିରେ ଆହୁରି ଲେଖାଯାଇଛି, “ଜୀବନର ପ୍ରତ୍ୟେକ ପଦକ୍ଷେପରେ ସେମାନେ ପରସ୍ପରର ସହଚର ହେଉନ୍ତୁ, ହୃଦୟ ଓ ମନ ଏକ ସୂତ୍ରରେ ବାନ୍ଧି ରହୁ। ସେମାନଙ୍କ ସ୍ୱପ୍ନ ଗୋଟିଏ ଗତିରେ ବଢ଼ୁ, ଯାହା ତାଙ୍କୁ ଆନନ୍ଦ, ସମୃଦ୍ଧି ଓ ବୁଝାମଣାର ଭବିଷ୍ୟତ ଦିଗରେ ନେଇଯାଉ।”

ପ୍ରଧାନମନ୍ତ୍ରୀ ମୋଦି ଆହୁରି ହାସ୍ୟମୂକ୍ତ ଶୁଭେଚ୍ଛା ଦେଇ କହିଛନ୍ତି, “ସ୍ମୃତିଙ୍କ କଭର ଡ୍ରାଇଭ୍‌ର ଗତି ଓ ପଲାଶଙ୍କ ସୁମଧୁର ସଙ୍ଗୀତ ମିଶି ଗୋଟିଏ ଅତ୍ୟନ୍ତ ସୁନ୍ଦର ସମ୍ବନ୍ଧ ସୃଷ୍ଟି କରିଛି। ବରପକ୍ଷ ଓ କନ୍ୟାପକ୍ଷ ପକ୍ଷରୁ ଏକ ‘ସେଲିବ୍ରେସନ କ୍ରିକେଟ୍ ମ୍ୟାଚ୍‌’ ମଧ୍ୟ ଆୟୋଜିତ ହୋଇଛି — ଏହି ଜୀବନ ଖେଳରେ ଉଭୟ ଦଳ ବିଜୟୀ ହେଉନ୍ତୁ।”

ସ୍ମୃତି ମନ୍ଧାନା ଭାରତୀୟ ମହିଳା କ୍ରିକେଟର ଅନ୍ୟତମ ପ୍ରତିଭାଶାଳୀ ଖେଳାଳି। ତାଙ୍କର ସୁନ୍ଦର ବ୍ୟାଟିଂ ଟେକ୍ନିକ୍‌ ଓ ସ୍ଥିରତା ତାଙ୍କୁ ବିଶେଷ ପରିଚୟ ଦେଇଛି। ପଲାଶ ମୁଛଲ ଏକ ପ୍ରତିଷ୍ଠିତ ସଙ୍ଗୀତ ରଚୟିତା ଓ ପ୍ରସିଦ୍ଧ ବଲିଉଡ୍ ଗାୟିକା ପଲକ ମୁଛଲଙ୍କ ଭାଇ ଭାବେ ଜଣାଶୁଣା।