ଭୁବନେଶ୍ୱର: ରାଜ୍ୟରେ ଘଟୁଥିବା ଅନୁଶାସନହୀନତା ଏବଂ ମହିଳା ସୁରକ୍ଷା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣିଥରେ ସରକାରକୁ ତୀବ୍ର ଆକ୍ରମଣ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଓଡ଼ିଶାର ମା’ମାନେ ଏବେ ସବୁଠୁ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି, କିନ୍ତୁ ସରକାର ପକ୍ଷରୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ହେଉନାହିଁ।

ଅପହରଣ ଓ ଗଣଦୁଷ୍କର୍ମ ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା

ଖୋର୍ଦ୍ଧା ଜିଲ୍ଲାର ବାଘମାରୀରେ ନାବାଳିକାଙ୍କ ଅପହରଣ ଏବଂ ଗଣଦୁଷ୍କର୍ମ ଘଟଣାକୁ ନବୀନ “ହୃଦୟବିଦାରକ ଏବଂ ସ୍ପର୍ଶକାତର” ବୋଲି ବର୍ଣ୍ଣନା କରିଛନ୍ତି।

ଏହାସହିତ, ଭଦ୍ରକ ଅରଞ୍ଜିରେ ଜଣେ ଯୁବତୀଙ୍କୁ କିସ୍ତି ଟଙ୍କା ପାଇଁ ଏସଏଚଜି ମହିଳାମାନଙ୍କ ଦ୍ୱାରା ଗାଁ ଦାଣ୍ଡରେ ମାଡ଼ ମାରିବା ଘଟଣାକୁ ସେ “ଅସଭ୍ୟତାର ଚରମ ଉଦାହରଣ” ବୋଲି କହିଛନ୍ତି।

ନବୀନ ସ୍ପଷ୍ଟ କରିଛନ୍ତି ଯେ, ବିଜେଡି ଶାସନକାଳରେ ‘ମିଶନ ଶକ୍ତି’ ମାଧ୍ୟମରେ ମହିଳାମାନେ ସ୍ୱାବଳମ୍ବନା ହେଉଥିଲେ ଏବଂ ସେମାନଙ୍କର ଅସ୍ତିତ୍ୱ ଗଢ଼ିଉଠୁଥିଲା।

“ବିକାଶ ଠପ୍, ମହିଳାମାନେ ଅସୁରକ୍ଷିତ” — ନବୀନ

ବିଜେଡି ସଭାପତି ଆହୁରି ଅଭିଯୋଗ କରିଛନ୍ତି ଯେ, ବିଜେପି ଶାସନରେ ରାଜ୍ୟର ବିକାଶ ଠପ୍ ହୋଇଯାଇଛି। ରୋଜିରୋଜି ମହିଳାମାନଙ୍କୁ ଲକ୍ଷ୍ୟ କରି ହେଉଥିବା ଅପରାଧ, ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣା ସମାଜକୁ ବିଚଳିତ କରିଦେଉଛି ବୋଲି ସେ କହିଛନ୍ତି।

ସରକାରକୁ ସତର୍କ କରି ନବୀନ କହିଛନ୍ତି, “ନିଦରୁ ଉଠନ୍ତୁ, ଦୋଷୀଙ୍କ ବିରୋଧରେଯୋଗ୍ୟ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।”