ନୂଆଦିଲ୍ଲୀ, 24/11: ତାମିଲନାଡୁର ଟେନକାସି ଜିଲ୍ଲାରେ ସୋମବାର ସକାଳେ ଦୁଇଟି ଘରୋଇ ବସ୍ର ମୁହାଁମୁହିଁ ଧକ୍କାରେ ଅତିକମେ ୬ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ଅଫରାତଫରୀ ସୃଷ୍ଟି ହୋଇଥିଲା।
କେମିତି ଘଟିଲା ଦୁର୍ଘଟଣା?
ସୂଚନା ଅନୁଯାୟୀ, ମଦୁରାଇରୁ ସେନକୋଟାଇ ଯାଉଥିବା ଏକ ବସ୍ ଓ ଟେନକାସିରୁ କୋଭିଲପଟ୍ଟି ମୁଖ୍ୟମାର୍ଗେ ଆସୁଥିବା ଅନ୍ୟ ବସ୍ର ମଧ୍ୟରେ ଏହି ଧକ୍କା ଘଟିଥିଲା। ଘଟଣାସ୍ଥଳରେ ଦୁଇଟି ବସ୍ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ରାସ୍ତା ଉପରେ ଭଙ୍ଗା କାଚ ବିଛି ରହିଥିବା ଦୃଶ୍ୟ ଦେଖାଯାଇଥିଲା।
ଦୁର୍ଘଟଣା ସମୟରେ ଦୁଇଟି ବସ୍ରେ ମୋଟ ୫୫ଜଣ ଯାତ୍ରୀ ଥିବା କୁହାଯାଇଛି। ସୂଚନା ପାଇ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଆହତମାନଙ୍କୁ ଟେନକାସି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ, ମଦୁରାଇରୁ ଆସୁଥିବା ବସ୍ର ଚାଳକ ଦ୍ରୁତ ଗତି ଓ ବେପରୁଆ ଡ୍ରାଇଭିଙ୍ଗ କରୁଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆଉ ବଢ଼ିପାରେ ବୋଲି ଚିକିତ୍ସକମାନେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଶୋକ ପ୍ରକାଶ
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘଟଣାରେ ଗଭୀର ଶୋକ ପ୍ରକାଶ କରି X ରେ ଲେଖିଛନ୍ତି—
“କଦୟାନାଲ୍ଲୁରରେ ଘଟିଥିବା ବସ୍ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଖବର ଶୁଣି ମୁଁ ବିୟୋଗାନ୍ବିତ। ମୁଁ ଜିଲ୍ଲା ପ୍ରଭାରୀ ମନ୍ତ୍ରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି। ଜିଲ୍ଲା କଲେକ୍ଟରଙ୍କୁ ଆହତମାନେ ଉଚ୍ଚ ମାନଙ୍କ ଚିକିତ୍ସା ପାଆନ୍ତୁ ବୋଲି ପ୍ରୟୋଜନୀୟ ବ୍ୟବସ୍ଥା କରିବାକୁ କଥା କହିଛି।”





