ପାଟନା, 24/11: ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁ ସୋମବାର ବରିଷ୍ଠ ଜେଡିୟୁ ନେତା ନରେନ୍ଦ୍ର ନାରାୟଣ ଯାଦବଙ୍କୁ ବିହାର ବିଧାନସଭାର ପ୍ରୋଟେମ୍ ସ୍ପିକର ଭାବରେ ଶପଥ ପାଠ କରାଇଛନ୍ତି। ଏବେ ସେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ।

ଆଲମନଗର ଆସନରୁ ପୁନଃ ବିଜୟୀ ହୋଇଥିବା ଯାଦବ ଏଥର ଭିଆଇପି ପ୍ରାର୍ଥୀ ନବୀନ କୁମାରଙ୍କୁ ୫୫,୪୬୫ ଭୋଟରେ ପରାସ୍ତ କରିଛନ୍ତି। ଯାଦବ ୧,୩୮,୪୦୧ ଭୋଟ ପାଇଥିବାବେଳେ, ନବୀନ କୁମାର ୮୨,୯୩୬ ଭୋଟରେ ସୀମିତ ହୋଇଥିଲେ। ଜନ ସୂରଜର ସୁବୋଧ କୁମାର ସୁମନ ୮,୯୩୪ ଭୋଟ ସହ ତୃତୀୟ ସ୍ଥାନରେ ଥିଲେ।

ଦୀର୍ଘ ରାଜନୀତିକ ଯାତ୍ରାର ଅନୁଭବୀ ନେତା

ନରେନ୍ଦ୍ର ନାରାୟଣ ଯାଦବ ପ୍ରଥମ ଥର ପାଇଁ ୧୯୫୫ ମସିହାରେ ଆଲମନଗରରୁ ବିଧାୟକ ହିସାବରେ ଚୁନା ହୋଇଥିଲେ ଏବଂ ସେଥିଠାରୁ ଲଗାତାର ବିଜୟ ହାସଲ କରୁଛନ୍ତି। ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟତମ ଏବଂ ଭରସାଯୋଗ୍ୟ ନେତାମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ ବିହାର ସରକାରରେ ମନ୍ତ୍ରୀ ଭାବେ କାମ କରିବାର ଅଭିଜ୍ଞତା ମଧ୍ୟ ରହିଛି।

ପ୍ରୋଟେମ୍ ସ୍ପିକରଙ୍କ ଭୂମିକା କ’ଣ?

ପ୍ରୋଟେମ୍ ବାଚସ୍ପତି ଗୃହର ଅସ୍ଥାୟୀ ସ୍ପିକର ଭାବେ କାମ କରନ୍ତି। ସେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇ ବିଧାନସଭାର କାର୍ଯ୍ୟ ସମୂଚ୍ଚଳ ରଖନ୍ତି। ସ୍ଥାୟୀ ବାଚସ୍ପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ପ୍ରୋଟେମ୍ ବାଚସ୍ପତିଙ୍କ ଦାୟିତ୍ୱକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗଣାଯାଏ।

ଆଲମନଗର ଆସନର ଗୁରୁତ୍ୱ

ଆଲମନଗର ବିଧାନସଭା ଆସନ ବିହାରର ମାଧେପୁରା ଜିଲ୍ଲାରେ ଅବସ୍ଥିତ ଏବଂ ଏହା ଏକ ସାଧାରଣ ବର୍ଗର ଆସନ। ଏହା ମାଧେପୁରା ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ପଡ଼ିଥାଏ। ସହରସା, ପୂର୍ଣ୍ଣିଆ, ଭାଗଲପୁର, ଖଗାରିଆ, ନୌଗାଛିଆ, କଟିହାର ଇତ୍ୟାଦି ଅଞ୍ଚଳସହିତ ଯୋଡ଼ାଇଥିବାରୁ ଏହା ରାଜନୈତିକ ଓ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ।