ନୂଆଦିଲ୍ଲୀ: ଦକ୍ଷିଣ ଏବଂ ପୂର୍ବ–ଦକ୍ଷିଣ ଏସିଆର ଅନେକ ଦେଶ ଏବେ ଭୟାବହ ବନ୍ୟା ବିପର୍ଯ୍ୟୟ ସମ୍ମୁଖୀନ। ଶ୍ରୀଲଙ୍କା, ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲ୍ୟାଣ୍ଡରେ ସାମୁଦ୍ରିକ ଝଡ଼ ‘ଡିଟ୍ୱା’ର ପ୍ରଭାବରେ ଲଗାତାର ବର୍ଷା ବନ୍ୟା ସ୍ଥିତିକୁ ଅତ୍ୟନ୍ତ ଭୟାବହ କରିଦେଇଛି। ମୋଟେ ୧୦୦୦ରୁ ଅଧିକ ଲୋକଙ୍କ ଜୀବନହାନି ହୋଇଥିବାବେଳେ ନିଖୋଜଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି।

ବିପଦର କେନ୍ଦ୍ରବିନ୍ଦୁ: ଶ୍ରୀଲଙ୍କା, ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡ

ସାମୁଦ୍ରିକ ଝଡ଼ର ପ୍ରଭାବରେ ଶ୍ରୀଲଙ୍କାରେ ପ୍ରାୟ ୩୩୫ ଜଣଙ୍କ ମୃତ୍ୟୁ ଘଟିଛି। ଥାଇଲ୍ୟାଣ୍ଡରେ ୧୭୬ ଜଣ ଜୀବନ ହାରାଇଛନ୍ତି, ଯେତେବେଳେ ଇଣ୍ଡୋନେସିଆରେ ସବୁଠାରୁ ଅଧିକ—ପ୍ରାୟ ୬୦୦ରୁ ଅଧିକ—ମୃତ୍ୟୁ ରିପୋର୍ଟ ହୋଇଛି। ସମସ୍ତ ଦେଶରେ ବନ୍ୟାଜଳ ଘରଦ୍ୱାର, ରାସ୍ତାଘାଟ, ସେତୁ, ବଜାର ଓ ଫସଲକୁ ବୁଡ଼ିଦେଇଛି।

ଅନେକ ଲୋକ ଗଛ ଉପରେ, ଘରର ଛାତ ଉପରେ ରାତିକାଟୁଛନ୍ତି। ରିଲିଫ ପାଇଁ ଅପେକ୍ଷାରେ ହଜାର ରହିଛନ୍ତି।

ଭାରତର ସହାୟତା ହସ୍ତ ବିସ୍ତାର

ପଡୋଶୀ ଦେଶର ଏହି ବିପର୍ଯ୍ୟୟ ଦେଖି ଭାରତ ଆଗୁଆ ହୋଇଛି। ଭାରତୀୟ ବାୟୁ ସେନା ଓ ନୌସେନାର ଉଦ୍ଧାର ଦଳ ଶ୍ରୀଲଙ୍କାରେ ପହଞ୍ଚି ରାହତ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। କିଛି ଅନ୍ୟାନ୍ୟ ଦେଶ ମଧ୍ୟ ରାହତ ଓ ଉଦ୍ଧାର କାମକୁ ସାଥି ଦେଉଛନ୍ତି।

ଶ୍ରୀଲଙ୍କାରେ ସ୍ଥିତି ଗୁରୁତର

ଶ୍ରୀଲଙ୍କାର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଅନୁଯାୟୀ, ମୋଟ ୯ ଲକ୍ଷ ୯୮ ହଜାର ୯୧୮ ଲୋକ ବନ୍ୟାରେ ପ୍ରଭାବିତ।

ସାମୁଦ୍ରିକ ଝଡ଼ ଶୁକ୍ରବାର ଦେଶର ପୂର୍ବ ଉପକୂଳକୁ ଅତିକ୍ରମ କରିବାରୁ ତୀବ୍ର ବର୍ଷା, ଭୁସ୍ଖଳନ ଓ ବନ୍ୟା ସ୍ଥିତି ଅଧିକ ଭୟାବହ ହୋଇଛି।

କଲମ୍ବୋରେ କେଲନି ନଦୀର ଜଳସ୍ତର ଦ୍ରୁତ ଗତିରେ ବଢ଼ି ପଡ଼ିବାରୁ ରାଜଧାନୀର ଏକାଧିକ ଅଞ୍ଚଳ ପାଣିରେ ବୁଡ଼ିଯାଇଛି।

ସ୍ଥିତି ଦୃଷ୍ଟିରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଆନ୍ତର୍ଜାତୀୟ ସହାୟତା ପାଇଁ ଅନୁରୋଧ କରିଛନ୍ତି।